ଜିଲ୍ଲା ପ୍ରଶାସନ ଠିକ ରିପୋର୍ଟ ଦେଇନଥିବାରୁ ବନ୍ୟା ସହାୟତା ପାଇବାରୁ ଲୋକେ ବଞ୍ଚିତ : କଂଗ୍ରେସ

କେନ୍ଦୁଝର,ଏନ୍ଏନ୍ଏସ୍:କେନ୍ଦୁଝର ଜିଲ୍ଲା ପ୍ରଶାସନ ବନ୍ୟା କ୍ଷତିଗ୍ରସ୍ତଙ୍କ ସମ୍ପର୍କରେ ଠିକ ରିପୋର୍ଟ ଦେଇନଥିବାରୁ ଲୋକେ ସ୍ୱତନ୍ତ୍ର ସହାୟତା ପାଇବାରୁ ବଞ୍ଚିତ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା ଅଭିଯୋଗ କରିଛନ୍ତି। ଆଉ ତୁରନ୍ତ ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ନ ଦେଲେ ଆଗାମୀ ଦିନରେ କଂଗ୍ରେସ ଚକ ଅଖ ବନ୍ଦ କରିବାକୁ ବାଧ୍ୟ ହେବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଚେତାବନୀ ଦେଇଛନ୍ତି । ଏଆଇସିସି ଦ୍ୱାରା ନିଯୁକ୍ତ କଂଗ୍ରେସ କମିଟିର ପ୍ରତିନିଧି ଦଳରେ ଆସିଥିବା ଉପରୋକ୍ତ ଦୁଇ କଂଗ୍ରେସ ନେତା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ଆଜି କେନ୍ଦୁଝର ଜିଲ୍ଲା ପ୍ରଶାସନ ସହ ଏସମ୍ପର୍କ ରେ ଆଲୋଚନା କରିଥିଲେ । ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବନ୍ୟା ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପରିବାର ପ୍ରତି ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଲେଖାଏଁ ସହାୟତା ରାଶି କେନ୍ଦୁଝର ଜିଲ୍ଲାକୁ ଏବେ ପର୍ଯ୍ୟନ୍ତ ନଦେବା ପଛରେ ଜିଲ୍ଲାପାଳଙ୍କ ଭୁଲ ରିପୋର୍ଟ ଦାୟୀ ବୋଲି ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ । ତେଣୁ ସରକାର ତୁରନ୍ତ ଚାଷୀଙ୍କ ପାଇଁ ଋଣ ଛାଡ଼, ବନ୍ୟା ବିପନ୍ନଙ୍କ ପାଇଁ ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ ସହ ସାର ସମାସ୍ୟାର ସମାଧାନ ନ କଲେ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରା ପ୍ରସାଦ ବାହିନୀପତି, ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର, ଡିସିସି କାର୍ଯ୍ୟକାରୀ ସଭାପତି ବିପ୍ଳବ ମିଶ୍ର ଓ କଂଗ୍ରେସ ନେତ୍ରୀ ସଂଗୀତା ସିଂ ପ୍ରମୁଖ ଉପସ୍ଥିତ ଥିବାବେଳେ ପିିସିସି ସଭାପତି ମୋହନ ପରିଡ଼ା ସଭାପତିତ୍ୱ କରିଥିଲେ ।