୮ ମାସର ଦରମା ନ ଦେଇ ଚାକିରିରୁ ବିଦାକଲା କମ୍ପାନୀ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ସାରସମାଲସ୍ଥିତ ପାୱାର ହାଉସ ଗ୍ରୀଡରେ ଏକଜିକ୍ୟୁଟିଭ୍ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ୮ ମାସ ହେଲା ଦରମା ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି। କର୍ମଚାରୀମାନେ କହିଛନ୍ତି ଲକଡାଉନ ଆରମ୍ଭରୁ କମ୍ପାନୀ ସେମାନଙ୍କୁ ଦରମା ଦେଇନାହିଁ। ଦରମା ମାଗିବାରୁ ୮ ଜଣ ସୁରକ୍ଷା କର୍ମୀଙ୍କୁ ଛଟେଇ କରି ଦିଆଯାଇଛି। ଦୀର୍ଘ ୭-୮ ବର୍ଷ ଧରି ଗ୍ରୀଡରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କରୋନା ମହାମାରୀ ସମୟରେ ହଠାତ ଚାକିରିରୁ ବାହାର କରିଦେଲେ ସେମାନେ ନିଜର ପରିବାର କିପରି ପ୍ରତି ପୋଷଣ କରିବେ। ତେଣୁ ସେମାନଙ୍କୁ ବାକି ଥିବା ୮ ମାସର ଦରମା ପ୍ରଦାନ କରାଯିବାସହ ପୁଃନ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ଏନେଇ ସମ୍ପୃକ୍ତ କର୍ମଚାରୀମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମସ୍ୟାର ସମାଧାନ ନ ହେଲେ ସେମାନେ ଆନ୍ଦୋଳନ ପନ୍ଥା ଅବଳମ୍ବନ କରିବେ ବୋଲି କହିଛନ୍ତି।