ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚିନ୍ତାଜନକ ପରିସ୍ଥିତି ସାମ୍ନାକୁ ଆସିଛି। କାରଣ ଚୀନ ତା’ର ପୁରୁଣା ଅଭ୍ୟାସ ପୁଣିଥରେ ଦୋହରାଇଛି। ପୂର୍ବ ଲଦାଖ ସେକ୍ଟରରେ ଭାରତ ଓ ଚୀନ ସୈନିିକ ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତ ସୀମାରେ ଚୀନ ସୈନିକ ଅନୁପ୍ରେବଶ କରିଥିଲେ। ଏହାପରେ ଭାରତୀୟ ଯବାନ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। କେନ୍ଦ୍ର ସରକାରଙ୍କ କହିବାନୁସାରେ, ଚୀନ ଉକୁସାଇବା ଭଳି ଗତିବିଧି ଆରମ୍ଭ କରି ପୁନର୍ବାର ସ୍ଥିତି ବଦଳାଇବାକୁ ଚେଷ୍ଟା କରୁଛି।
ସୀମାରେ ଏହି ଉତ୍ତେଜନାପୂର୍ଣ୍ଣ ଘଟଣା ଅଗଷ୍ଟ ୨୯ ମଧ୍ୟରାତ୍ରରେ ଘଟିଥିଲା। ଉକ୍ତ ଘଟଣା ପରେ ରବିବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୀଡୀଏସ ବିପିନ ରାୱତ, ଆର୍ମି ମୁଖ୍ୟ ମନୋଜ ମୁକୁନ୍ଦ ନରବାଣେ, ଓ ଏନଏସଏ ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଶାନ୍ତିପୂର୍ଣ୍ଣ ସ୍ଥିତି ଫେରାଇ ଆଣିବା ପାଇଁ ଲଦାଖର ଚୁସୁଲରେ ବ୍ରିଗେଡସ୍ତରୀୟ ବୈଠକ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଭାରତ-ଚୀନ ସୀମାର ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଏହାର ସମାଧାନ ପାଇଁ ସେନାସ୍ତରୀୟ ଆଲୋଚନା ହୋବାପରେ ସ୍ଥିତିରେ ସୁଧାର ଆସିଥିଲା। ତେବେ ଏହାର କିଛି ମାସ ପରେ ଚୀନ ପୁଣିଥରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି।