ରାୟଗଡ଼,ଏନ୍ଏନ୍ଏସ୍: ରାଜ୍ୟର କିଛି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟ କିଛି ଜିଲ୍ଲାଗୁଡିକ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଛି। ସେହିପରି ପଜିଟିଭ୍ ସଂଖ୍ୟା ତାଲିକାରେ ଜିଲ୍ଲା ରାଜ୍ୟର ୭ମ ସ୍ଥାନରେ ରହିଛି। ଜିଲ୍ଲାରେ ବିପୁଳ ମାତ୍ରାରେ ଆଣ୍ଟିଜେନ, ଆରଟିପିସିଆର ଟେଷ୍ଟଗୁଡିକ କରାଯାଉଥିବାରୁ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏନେଇ ଆଜି ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦ୍ଭାବନା କକ୍ଷରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ବଣିକ ସଂଘ, ସାମ୍ବାଦିକ ସଂଘ, ଏନଜିଓ ସହ ଅନ୍ୟାନ୍ୟ ସଂଘକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ଟେଷ୍ଟ ସଂଖ୍ୟାକୁ ଆହୁରି ଅଧିକ କରିବା ସହ ହୋମ ଆଇସୋଲେସନକୁ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ବୈଠକରେ ପ୍ରକାଶ କରିଛନ୍ତି।
ଏଥିସହିତ ଆଣ୍ଟିଜେନ ଟେଷ୍ଟ କରାଇବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ସହ ହୋମ ଆଇସୋଲେସନ ରୋଗୀଙ୍କୁ ଘୃଣା ନକରି ଲୋକଙ୍କୁ ଘରେ ରହିବା ପାଇଁ ସଚେତନ କରିବା ବୋଲି ଶ୍ରୀ ବେହେରା କହିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ. ଶର୍ବଣା ବିବେକଏମ୍, ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା କୋଭିଡ ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସିଡିଏମଓ ଡାକ୍ତର ଆର୍ତ୍ତବନ୍ଧୁ ନାୟକ, ଡିପିଏମ ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।