ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ ପରିଧାନ କରି ପ୍ରତିବାଦ କଲେ ଆୟୁଷ ଡାକ୍ତର

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରମାନେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କଳାବ୍ୟାଜ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କେନ୍ଦୁଝର ଜିଲ୍ଲାରେ ୨୬ଟି ୟୁନିଟରେ ୪୪ଜଣ ଆୟୁଷ ଡାକ୍ତର ଦୀର୍ଘ ଦିନ ଧରି କାମ କରିଆସୁଛନ୍ତି । ସେମାନଙ୍କୁ ଏବେ ପର୍ଯ୍ୟନ୍ତ ନିୟମିତ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ଏମାନେ ତୃଣମୂଳ ସ୍ତରରେ କୋଭିଡ-୧୯ କାମ କରୁଥିବାବେଳେ ଏମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି । ତେଣୁ ସେମାନଙ୍କ ଦରମାକୁ ୫୦ ହଜାର ଟଙ୍କା କରିବା, ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଚାକିରିକୁ ନିୟମିତ କରିବା, ଆରବିଏସକେ ଡାକ୍ତରମାନଙ୍କୁ ଆୟୁଷ ନିର୍ଦ୍ଦେଶାଳୟ ଅଧୀନରେ ରଖିବା, ରାଜ୍ୟ ତଥା ଜିଲ୍ଲାସ୍ତରରେ ହେଉଥିବା ବିଭିନ୍ନ ଟ୍ରେନିଂରେ ଆରବିଏସକେ ଡାକ୍ତରଙ୍କୁ ସାମିଲ କରିବା, ଆରବିଏସକେର ଆନୁଧ୍ୟାନ ପାଇଁ ଏଡିଏମଓଙ୍କୁ ଦାୟିତ୍ୱ ଦେବା, ସମସ୍ତ ଆୟୁଷ ଡ଼ାକ୍ତରଙ୍କୁ କରୋନା ଯୋଦ୍ଧା ବୋଲି ଘୋଷଣା କରିବା ଆଦି ଦାବିରେ ଏହି ପ୍ରତିବାଦ କରିଥିବା କଳାବ୍ୟାଜଧାରୀ ଡାକ୍ତରମାନେ ପ୍ରକାଶ କରିଛନ୍ତି । ଉକ୍ତ ଆୟୁଷ ଡାକ୍ତରଙ୍କ ତରଫରୁ ଜିଲ୍ଲାପାଳଙ୍କୁ ୮ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି ।