ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାଙ୍କର ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ଅସ୍ତ୍ରୋପଚାର କରାଯିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ମୁଖାର୍ଜୀଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିଲେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସେହିପରି ସୋମବାର ଦିନ ତାଙ୍କର ଅସ୍ତ୍ରୋପଚାର ପୂର୍ବରୁ କୋଭିଡ-୧୯ ଟେଷ୍ଟ କରାଯାଇଥିଲା। ତେବେ ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଥିଲା। ଏନେଇ ଶ୍ରୀ ମୁଖାର୍ଜୀ ଟ୍ୱିଟ କରି ଲେଖିଥିଲେ ଯେ ଅନ୍ୟ ରୋଗର ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲି। ସେଠାରେ କରୋନା ପଜିଟିଭ ଚିହ୍ନଟ ହେଲି। ତେଣୁ ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ମୁଁ ଅନୁରୋଧ କରୁଛି ସେମାନେ ନିଜର କୋଭିଡ-୧୯ ଟେଷ୍ଟ କରାଇ ନିଅନ୍ତୁ। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।