ବୟାନରେ ଲକ୍ଷ୍ମଣରେଖା ଜରୁରୀ: ପାଇଲଟ

ଜୟପୁର,ଏଜେନ୍ସି: ରାଜସ୍ଥାନର ଦୀର୍ଘ ଦିନର ରାଜନୀତିକ ନାଟକ ପରେ ସଚିନ ପାଇଲଟ ପୁଣି ଥରେ କଂଗ୍ରେସକୁ ଫେରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ତାଙ୍କର ଦଳ ଉପରେ ଦୃଢ଼ ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ୱାରା କୁହାଯାଇଥିବା ଶବ୍ଦଗୁଡ଼ିକୁ ଭୁଲି ହେବନାହିିଁ। ଏଥିସହ ସେ କହିଛନ୍ତି ଯେ, ‘ଅଶୋକ ଗେହଲଟ ମୋ’ଠାରୁ ଯଥେଷ୍ଟ ବଡ଼। ମୁଁ ତାଙ୍କୁ ସର୍ବଦା ସମ୍ମାନ ଦେଇଆସିଛି। ମୋର ମଧ୍ୟ କାମ ପ୍ରସଙ୍ଗରେ ମତପ୍ରଦାନ କରିବାର ଅଧିକାର ରହିଛି।’ ସୂଚନା ଅନୁସାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେହଲଟ ପାଇଲଟଙ୍କୁ ନିକମା ଓ ଅପାରଗ କହି ଅପମାନିତ କରିଥିଲେ।

ସଚିନ କହିଛନ୍ତି, ‘ମୁଁ ମୋ ପରିବାରଠାରୁ ଶାଳୀନତା ଶିକ୍ଷାଲାଭ କରିଛି। କେଉଁ ବ୍ୟକ୍ତିଙ୍କୁ କେତେ ମାତ୍ରାରେ ବିରୋଧ କରୁଛି, ତାହା ପ୍ରାସଙ୍ଗିକ ନୁହେଁ। ସାଧାରଣ ଲୋକଙ୍କ ଆଗରେ କାହା ପ୍ରତି କେଉଁ ଭଳି ଭାଷା ପ୍ରୟୋଗ କରାଯିବା ଦରକାର, ତା’ ମୋ ପକ୍ଷେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରାଜନୀତିରେ ବ୍ୟକ୍ତିଗତ ଶତ୍ରୁତାର ସ୍ଥାନ ନାହିଁ। ରାହୁଲ ଓ ପ୍ରିୟଙ୍କା ଆମ ବିବାଦର ସମାଧାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଆମେ ଯେଉଁ ପ୍ରସଙ୍ଗ ଉଠାଇଛୁ, ତା’ର ସମାଧାନ ପାଇଁ ତିନିଜଣିଆ କମିଟି ଗଠନ କରାଯାଇଛି।’ ରାହୁଲ ଓ ପ୍ରିୟଙ୍କା ସହ ଆଲୋଚନା କାଳରେ ପାଇଲଟ୍ କୌଣସି ପଦବୀ ଦାବି କରିନଥିଲେ। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରିବ, ସେ ତାହା କରିବାକୁ ରାଜି ହୋଇଛନ୍ତି।

ପାଇଲଟଙ୍କ ମତରେ ସେ ଦଳର ରାଜ୍ୟ ସଭାପତି ଦାୟିତ୍ୱରେ ଥିବାରୁ ଲୋକମାନେ ସରକାରଙ୍କ କାର୍ଯ୍ୟଶୈଳୀ ଓ ପ୍ରତିଶ୍ରୁତି ପାଳନ ସମ୍ପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦବୀରେ ପାଇଲଟ ରହିଥିବାବେଳେ ଦେଶଦ୍ରୋହ ଅଭିଯୋଗରେ ଛନ୍ଦିବା ତାଙ୍କୁ ଭୀଷଣ କଷ୍ଟ ଦେଇଛି। ଗେହଲଟ ଚାହିଁଥିଲେ, ପରିସ୍ଥିତିକୁ ହାଲୁକା କରିପାରିଥାନ୍ତେ। ମାତ୍ର ପ୍ରତିଶୋଧ ପରାୟଣ ହୋଇ ସେ ଘଟଣାକୁ ଆହୁରି ଜଟିଳ କରି ଦେଲେ ବୋଲି ପାଇଲଟ କହିଛନ୍ତି।