ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ସଦର ଥାନା ବିଶିପଡ଼ା ପଞ୍ଚାୟତର ବେହେରାପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅର ଫାର୍ସା ଚୋଟରେ ମା’ର ମୃତ୍ୟୁ ହୋଇଥିବାବେଳେ ଭଣଜା ଓ ଭଉଣୀ ଆହତ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ଭାଗିରଥୀ ବେହେରା ଏକ ସାମାନ୍ୟ ଘଟଣାକୁ କେନ୍ଦ୍ରକରି ନିଜ ଭଉଣୀ ଓ ଭଣଜାକୁ ଫର୍ସାରେ ଆକ୍ରମଣ କରୁଥିଲେ। ଏହି ସମୟରେ ମା’ଉର୍ମିଳା ପୁଅକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ଭାଗିରଥୀ ଫାର୍ସାରେ ଉର୍ମିଳାଙ୍କୁ ଭୁସି ଦେଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଆହତ ଭଉଣୀ ବୃନ୍ଦାବତୀ ଓ ଭଣଜା ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଘଟଣାପରେ ଭାଗୀରଥୀ ଫେରାର ହୋଇଯାଇଛି। ପ୍ରକାଶ ଥାଉକି, ଭାଗିରଥୀଙ୍କ ଏକ ଲୁନା ଗାଡିକୁ ଭଣଜା ଚଲାଉଥିବାବେଳେ ଭାଙ୍ଗିଯାଇଥିଲା। ଗାଡି ସଜାଡିବା ପାଇଁ ଭାଗିରଥୀ ଭଉଣୀଙ୍କୁ ଟଙ୍କା ମାଗିଥିଲେ। ବୃନ୍ଦାବତୀ ୨୦୦୦ଟଙ୍କା ଦେଇଥିବାବେଳେ ଏହାକୁ ନନେଇ ଝଗଡା ଆରମ୍ଭ କରିଥିଲା ଭାଗିରଥୀ।