ପୁଅର ଛୁରା ମାଡରେ ମାଆ ମୃତ, ଭଉଣୀ ଓ ଭଣଜା ଗୁରୁତର

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିଶିପଡା ପଞ୍ଚାୟତର ବେହେରା ପଦର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ପୁଅର ଛୁରା ମାଡ଼ରେ ମାଆର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଓ ଭଣଜା ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ବାଇକ କିଣିବାକୁ ନେଇ ବେହେରା ପଦର ଗ୍ରାମର ଭାଗିରଥି ବେହେରା ଓ ତାଙ୍କ ମାଆ ଉର୍ମିଳାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଭାଗିରଥୀ ଉତକ୍ଷୀପ୍ତ ହୋଇ ନିଶାଶକ୍ତ ଅବସ୍ଥାରେ ମାଆ ଉର୍ମିଳାଙ୍କୁ ଛୁରାରେ ଆକ୍ରମଣ କରିଥିଲା।

ଉର୍ମିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଝିଅ ବୃନ୍ଦାବତୀ ବେହେରା ଓ ନାତି ଶାନ୍ତନୁ ମଧ୍ୟ ଭାଗିରଥିଙ୍କ ଆକ୍ରମଣର ଶୀକାର ହୋଇଥିଲେ। ଖବରପାଇ ପୁଲିସ ସେଠାରେ ପହଞ୍ଚି ଏକ ଅଟୋ ଯୋଗେ ଗୁରୁତର ୩ ଜଣଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ଡାକ୍ତର ଉର୍ମିଳାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ଭାଗୀରଥିକୁ ଅଟକ ରଖି ପଚରା ଉଚୁରା କରୁଛି।