ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁଲାଇ ୨୯ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରେସମିଟରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କରୋନା ମହାମାରୀ କାରଣରୁ ରାଜ୍ୟରେ ଲକଡାଉନ ଓ ସଟଡାଉନ କଟକଣା ଲାଗୁ ହୋଇଥିବାରୁ ଖାତା ଦେଖା ପ୍ରକ୍ରିୟା ବହୁତ ଚ୍ୟାଲେଞ୍ଜିଂ ଥିଲା। ତେବେ ସମୟ ମଧ୍ୟରେ ଖାତା ଦେଖା ସାରିଥିବାରୁ ଶ୍ରୀ ଦାସ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଅଗଷ୍ଟ ତୃତୀୟ ସପ୍ତାହ ମଧ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ଓ ଅଗଷ୍ଟ ଶେଷ ସୁଦ୍ଧା ଯୁକ୍ତ ୨ କଳାର ରେଜଲ୍ଟ ପ୍ରକାଶ ବୋଲି ସେ କହିଛନ୍ତି।
ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଅନୁସାରେ ୨୯ ତାରିଖ ସକାଳେ ୯ଟାରେ କଟକ ବୋର୍ଡରେ ଭିଡିଓ କନଫରେନ୍ସିଂ ଜରିଆରେ ରେଜଲ୍ଟ ପ୍ରକାଶ ପାଇବ। ସେହିପରି ଦିନ ସାଢ଼େ ୧୧ଟାରେ ଅନଲାଇନରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ବୋର୍ଡର ୨ଟି ୱେବସାଇଟ (www.bseodisha.ac.in ; www.bseodisha.nic.in) କିମ୍ବା 5676750ରେ ଏସଏମଏସ କରି ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ।