ବେଙ୍ଗାଲୁରୁରେ ୩,୩୩୮ କରୋନା ରୋଗୀଙ୍କ ପତ୍ତାମିଳୁନି

ବେଙ୍ଗାଲୁରୁ, ଏଜେନ୍ସି: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ   ୩,୩୩୮ ଜଣ ଲୋକଙ୍କ ନମୁନାରୁ ପଜିଟିଭ୍ ଜଣାପଡିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିପାରିନାହିଁ। ସଂକ୍ରମିତ ଲୋକଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ ଚାଲିଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ।   ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି) କମିଶନର ମଞ୍ଜୁନାଥ ପ୍ରସାଦ କହିଛନ୍ତି ଯେ, ରୋଗୀମାନେ ପରୀକ୍ଷା ପାଇଁ ଯିବାବେଳେ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ସଠିକ୍ ବିବରଣୀ ଦେଉନାହାନ୍ତି। ଫଳରେ ଏବେ ସେମାନଙ୍କୁ ଖୋଜିବା କଷ୍ଟକର ହୋଇପଡିଛି। ଯେତେବେଳେ ରୋଗୀ ପରୀକ୍ଷା ପାଇଁ ଯାଆନ୍ତି, ସେମାନେ ଫର୍ମରେ ଅସମ୍ପୂର୍ଣ୍ଣ ଘର ଠିକଣା ଏବଂ ଭୁଲ ଫୋନ ନମ୍ବର ଦିଅନ୍ତି। କର୍ଣ୍ଣାଟକର ଅଧାରୁ ଅଧିକ ମାମଲା ବେଙ୍ଗାଲୁରୁ ସହରାଞ୍ଚଳରୁ ରେକର୍ଡ କରାଯାଉଥିବା ବେଳେ ଏଭଳି ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।