ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ପ୍ରତି ୱାର୍ଡ ପାଇଁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟ କର୍ମୀଙ୍କ ଟିମ୍ ଗଠନ କରାଯାଇଛି। ଏହି ଟିମରେ ଜଣେ ଏଏନଏମ, ଆଶା ଦିଦି, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ ସାଥୀ ଅଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହିତ ଥର୍ମାଲ ଗନ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବାବେଳେ ଲକ୍ଷଣ ଥିବା ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବା ବ୍ୟବସ୍ଥା କରାଯାଇଛି। ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଜୟପାଲ ସେନାପତି କହିଛନ୍ତି ଯେ, ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ହେଉଥିବାରୁ ଘରକୁ ଘର ବୁଲି ଲକ୍ଷ୍ୟଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଉଛି। ଏଥିପାଇଁ ଶନିବାର ଠାରୁ ମଙ୍ଗଳବାର ଯାଏଁ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ କରାଯାଇଛି। ଦାରିଙ୍ଗବାଡ଼ି ପାଇଁ ମୋଟ ୧୦ଟି ଟିମ ଗଠନ କରାଯାଇଥିବା ବେଳେ ପ୍ରାୟ ୮୩୬୩ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।