ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ଆଜି ପାଳିତ ହେଉଛି କାର୍ଗିଲ ବିଜୟ ଦିବସ। ୨୧ ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀରର କାର୍ଗିଲ, ଦ୍ରାସ, ବାଟାଲିକ୍ ଶିଖରରେ ଭାରତର ବୀର ଯବାନ ମାନେ ନିଜ ଜୀବନକୁ ବଳିଦାନ ଦେଇ ଏହି ଶିଖରକୁ ସୁରକ୍ଷା ଦେଇଥିଲେ। ଏବଂ ଏହାକୁ ପାକିସ୍ତାନ ଦଖଲରୁ ମୁକ୍ତ କରିଥିଲେ। ଭାରତୀୟ ସେନାର ଏହି ଅଦମ୍ୟ ସାହସ ଏବଂ ବଳିଦାନକୁ ସ୍ମରଣ କରିବା ତଥା ଅଭିବାଦନ ଜଣାଇବା ପାଇଁ ଦେଶ ପ୍ରତିବର୍ଷ ୨୬ ଜୁଲାଇରେ କାର୍ଗିଲ ବିଜୟ ଦିବସ ପାଳନ କରୁଛି।
ଏହି ଅବସରରେ ଦିଲ୍ଲୀର ଯୁଦ୍ଧ ମେମୋରିଆଲରେ ପ୍ରତୀରକ୍ଷାମନ୍ତ୍ରୀ ରାଜନାଥ ସିଂ ପହଞ୍ଚି ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ସିଂ କହିଛନ୍ତି ଯେ ସହିଦ ଯବାନଙ୍କ ଏହି ବଳିଦାନକୁ ଦେଶ କେବେବି ଭୁଲି ପାରିବ ନାହିଁ। ମୁଁ ସେହି ଯବାନମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ସେମାନଙ୍କର ଅଦମ୍ୟ ସାହସ ସହିତ ଶତ୍ରୁକୁ କାର୍ଗିଲର ଅପହଞ୍ଚ ପାହାଡରୁ ତଡ଼ି ଦେଇଥିଲେ ଏବଂ ସେଠାରେ ପୁଣି ତ୍ରିରଙ୍ଗା ସ୍ଥାପନ କରିଥିଲେ। ମାତୃଭୂମିର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଭାରତର ବୀରମାନଙ୍କ ପାଇଁ ଦେଶ ଗର୍ବିତ।
