କରୋନା ଲଢ଼େଇ ଭାରତ ଜିତିପାରିବ : ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: କରୋନା ଲଢ଼େଇରେ ଭାରତର ପ୍ରଦର୍ଶନ ଆମେରିକା ସମେତ ଅନେକ ଦେଶକୁ ପ୍ରଭାବିତ କରିଛି। କେବଳ ଏତିକି ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ମଧ୍ୟ ମହାମାରୀ ମୁକାବିଲାକୁ ନେଇ ଭାରତର କ୍ଷମତା ଉପରେ ଆସ୍ଥା ପ୍ରକଟ କରିଛି।

ଡବ୍ଲ୍ୟୁଏଚଓର କହିବାନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତ କରୋନା ସଂକ୍ରମଣ ମାମଲାରେ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଥିଲେ ମଧ୍ୟ ଏବେ ବି ଏହାକୁ ହରାଇବାର କ୍ଷମତା ତାଙ୍କଠାରେ ରହିଛି। ଡବ୍ଲ୍ୟୁଏଚଓର ଏମରଜେନ୍ସୀ ପ୍ରୋଗ୍ରାମର ମୁଖ୍ୟ ଡା. ମାଇକ ରୟାନ କହିଛନ୍ତି କି, ‘ଭାରତ, ଆମେରିକା ଓ ବ୍ରାଜିଲ ହେଉଛନ୍ତି ଶକ୍ତିଶାଳୀ, ସକ୍ଷମ ଓ ଲୋକତାନ୍ତ୍ରିକ ଦେଶ ଯାହାଙ୍କଠାରେ ଏହି ରୋଗ ସହ ଲଢ଼ିବା ପାଇଁ ଆଭ୍ୟନ୍ତରୀଣ କ୍ଷମତା ରହିଛି।’

ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ କରୋନା ଲଢ଼େଇରେ ଭାରତର ପ୍ରୟାସକୁ ଡବ୍ଲ୍ୟୁଏଚଓ ପ୍ରଶଂସା କରିସାରିଛି। କୋଭିଡ-୧୯କୁ ନେଇ ଭାରତ ପ୍ରଥମରୁ ହିଁ ତତ୍ପର ରହି ଟେଷ୍ଟ କ୍ଷମତା, ଅଧିକ ହସ୍ପିଟାଲ, ଆବଶ୍ୟକ ଔଷଧ, କର୍ମଚାରୀ ସମେତ ପ୍ରଭାବୀ ଉପାୟ ଆପଣାଇଥିବା ଡବ୍ଲ୍ୟୁଏଚଓ ପ୍ରକାଶ କରିଛି।