ଗାଁରୁ କରୋନା ପଜିଟିଭ ଚିହ୍ନଟ ପରେ ଉତ୍ତେଜନା: ବୋମାମାଡ଼ରେ ଜଣେ ଗୁରୁତର

ପୁରୀ,ଏନ୍ଏନ୍ଏସ୍: ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ପରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସହ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିସିଭଅଁର ଗାଁରେ। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ ଗତ କିଛିଦିନ ତଳେ ନିସିଭଅଁର ଗାଁର ଜଣେ ଯୁବକ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ। ମାତ୍ର କ୍ୱାରେଣ୍ଟାଇନ ଅବଧି ସରିବା ପୂର୍ବରୁ ଯୁବକ ଜଣଙ୍କ ଗାଁକୁ ଫେରିଯାଇଥିଲେ। ପରେ ସେ ଗାଁ ଲୋକମାନଙ୍କ ସହ ମିଳାମିଶା କରିବା ସହିତ ଭୋଜି ଭାତ ମଧ୍ୟ କରିଥିଲେ। ତେବେ ଗତକାଲି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାକୁ ନେଇ ଗାଁରେ ଭିନ୍ନ ରାଜନୈତିକ ଦଳର ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ଉଭୟ ପକ୍ଷରେ ବୋମାମାଡ଼ ମଧ୍ୟ ହୋଇଥିଲା। ଏଥିରେ ଉକ୍ତ ଗ୍ରାମର ବିଚିତ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ଗାଁରେ ଉତ୍ତେଜନା ସ୍ଥିତି ଲାଗି ରହିଥିବା ଜଣାପଡ଼ିଛି।