ଲକଡାଉନ ଓ ସଟଡାଉନରେ ଚାଲିବ ଯୁକ୍ତ ୨ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ଲକଡାଉନ ଓ ସଟଡାଉନ କଟକଣା ଲାଗୁ କରାଯାଇଛି। ତେବେ ପୂର୍ବରୁ ମଧ୍ୟ କରୋନା କଟକଣା ଯୋଗୁଁ ଯୁକ୍ତ ୨ ମୂଲ୍ୟାୟନ ବହୁଳ ଭାବେ ପ୍ରଭାବିତ ହୋଇଛି। ତେଣୁ ଫଳ ପ୍ରକାଶରେ ବିଳମ୍ବ ହେବା ଆଶଙ୍କା ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲକଡାଉନ ଓ ସଟଡାଉନ ସମୟରେ ମଧ୍ୟ ଖାତା ଦେଖା ପ୍ରକ୍ରିୟା ଚାଲୁ ରଖିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ତେବେ ଯୁକ୍ତ ୨ ମୂଲ୍ୟାୟନ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ମଧ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମୂଲ୍ୟାୟନ ସମୟରେ ସାମାଜିକ ଦୂରତା ରକ୍ଷା କରିବା ଏବଂ କୋଭିଡ ନିୟମ ମାନିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଯୁକ୍ତ ୨ ମୂଲ୍ୟାୟନକୁ ସ୍ୱତନ୍ତ୍ର ରିଲିଫ କମିସନ ଜରୁରୀ ସେବା ଭାବେ ଅନ୍ତର୍ଭୁକ୍ତ କରିଛନ୍ତି। ଫଳରେ ଖାତା ଦେଖା ଠିକ ଭାବେ ହୋଇପାରିବ। ଏନେଇ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଡ. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷକଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଏଥିସହିତ ଅଗଷ୍ଟ ୧୫ ସୁଦ୍ଧା ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ଲକ୍ଷ ରଖାଯାଇଛି।