ରାଜସ୍ଥାନ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା: ଆଜି ହାଇକୋର୍ଟଙ୍କ ରାୟ ଶୁଣାଣି

ନୂଆଦିଲ୍ଲୀ,ଏଜେନ୍ସି: ରାଜସ୍ଥାନରେ କଂଗ୍ରେସ ସରକାରରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ବିଧାନସଭାର ବାଚସ୍ପତି ସି ପି ଯୋଶୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରହିତାଦେଶ ପାଇଁ ମନା କରି ରାଜସ୍ଥାନ ହାଇକୋର୍ଟଙ୍କୁ ଶୁଣାଣି ପାଇଁ ଅନୁମତି ଦେଇଛନ୍ତି। ଏନେଇ ଆଜି ପୂର୍ବାହ୍ନ ୧୦ଟା ୩୦ରେ ରାଜସ୍ଥାନ ହାଇକୋର୍ଟ ରାୟ ଦେବେ।

ଉଲ୍ଲେଖଯୋଗ୍ୟ ଯେ ଗତ ମଙ୍ଗଳବାର ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟ୍ ଓ ତାଙ୍କ ସହ ରହିଥିବା ୧୮ ଜଣ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶୁକ୍ରବାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେବାରୁ ସେ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବି. ଆର. ଗାଭାଇ ଓ ଜଷ୍ଟିସ କ୍ରିଷ୍ଣ ମୁରାରୀଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ ଏଭଳି ଆବେଦନର ଦୀର୍ଘ ଶୁଣାଣି ଆବଶ୍ୟକ ବୋଲି କହିଥିଲେ। ଖଣ୍ଡପୀଠ କହିଥିଲେ, ‘ଗଣତନ୍ତ୍ରରେ ଅସନ୍ତୋଷର ସ୍ୱରକୁ ଚାପି ଦେଇ ହେବ ନାହିଁ। ବାଚସ୍ପତି ଯେଭଳି ପ୍ରକ୍ରିୟାରେ ବିଦ୍ରୋହୀ ବିଧାୟକମାନଙ୍କ ସଦସ୍ୟ ପଦ ରଦ୍ଧ କରିବାକୁ ଚାହୁଁଛନ୍ତି ତାହା ଆଇନ ଅନୁମୋଦିତ କି ନୁହେଁ ସେ ବିଷୟ ବିଚାର କରାଯିବ।

ଏହି ସମୟରେ ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ କପିଲ ସିବଲ ହାଜର ହୋଇ କେଉଁ କାରଣରୁ ବାଚସ୍ପତି ଏହି ବିଧାୟକମାନଙ୍କ ବିରୋଧରେ ପଦକ୍ଷେପ ନେଇଛନ୍ତି ତାହା ଉଲ୍ଲେଖ କରିଥିଲେ।