କୁଳଭୂଷଣ ପ୍ରସଙ୍ଗରେ ଭାରତର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କ କ୍ଷେତ୍ରରେ ପାକିସ୍ତାନ ସରକାର ସମସ୍ତ ନାୟିକ ଦିଗକୁ ବନ୍ଦ କରିଦେଇଛନ୍ତି। କୁଳଭୂଷଣଙ୍କ ପାଇଁ ଓକିଲ ନିଯୁକ୍ତ କରିବାକୁ ପାକିସ୍ତାନ ସରକାର ଇସଲାମାବାଦ ହାଇକୋର୍ଟଙ୍କ ଅନୁମତି ଲୋଡିବା ସମ୍ପର୍କିତ ରିପୋର୍ଟ ଉପରେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କୁଳଭୂଷଣଙ୍କ କ୍ଷେତ୍ରରେ ପାକିସ୍ତାନର ଆଭିମୁଖ୍ୟ ଏକ ନାଟକ। ଏହି ପ୍ରସଙ୍ଗରେ ଭାରତର ପାକିସ୍ତାନୀ ଓକିଲ ସୂଚନା ଦେଇଛନ୍ତି ଯେ ପାୱାର ଅଫ ଆଟର୍ଣ୍ଣି ବିନା ମୃତ୍ୟୁ ଦଣ୍ଡାଦେଶ ଉପରେ ସମୀକ୍ଷା ଆବେଦନ କରାଯାଇପାରିବ ନାହିଁ। ଏହା ସହିତ ସମୀକ୍ଷା ଆବେଦନ ପାଇଁ ଆବଶ୍ୟକ କାଗଜପତ୍ରର ଦରକାର ରହିଛି। ତେଣୁ ନୂଆ ଉପାୟ ବାହାର କରିବାକୁ ପ୍ରୟାସ ଜାରି ରହିଛି ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି।

ପାକିସ୍ତାନର କହିବା ଅନୁସାରେ କୁଳଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୦ ତାରିଖ। ଗତ ସପ୍ତାହରେ ପାକିସ୍ତାନ ସରକାର ଦାବି କରିଥିଲେ ଯେ କୁଳଭୂଷଣ ତାଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ଆବେଦନ କରିବାକୁ ଚାହୁଁ ନାହାନ୍ତି। ପାକିସ୍ତାନର ଏପରି ଦାବି ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ଜଣାଇବା ପରେ କୁଳଭୂଷଣଙ୍କୁ ସାକ୍ଷାତ କରିବା ଲାଗି ପାକିସ୍ତାନ ସରକାର ଜୁଲାଇ ୧୬ ତାରିଖରେ ଅନୁମତି ଦେଇଥିଲେ। ମାତ୍ର ଏହି ସାକ୍ଷାତ ଅବାଧ ଓ ମୁକ୍ତ ନଥିବା ଭାରତ ଅଭିଯୋଗ କରିଥିଲା।

ସୂଚନା ଅନୁସାରେ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ପାକିସ୍ତାନ ସୈନ୍ୟ ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ବନ୍ଦୀ କରି ରଖିବା ସହିତ ପାକିସ୍ତାନ ସାମରିକ ଅଦାଲତରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ଜଣାପଡ଼ିଛି। ତେଣୁ ଏହି ପ୍ରସଙ୍ଗରେ ଭାରତ ସରକାର ଆନ୍ତର୍ଜାତିକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ପରେ ଆନ୍ତର୍ଜାତିକ ଅଦାଲତ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା କରିବା ପାଇଁ ପାକିସ୍ତାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।