ଆଇଓସିଏଲ ଡିପୋ ମ୍ୟାନେଜରଙ୍କ କାର ଉପରକୁ ବୋମାମାଡ଼

ଜଟଣୀ,ଏନ୍ଏନ୍ଏସ୍: ଜଟଣୀ ସ୍ଥିତ ଭାରତୀୟ ତୌଳ ନିଗମ ଡିପୋ ମ୍ୟାନେଜରଙ୍କ କାର ଉପରକୁ ଗୁରୁବାର ରାତ୍ରିରେ ଜଣେ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଡିପୋ ମ୍ୟାନେଜର ନୃସିଂହ ଚରଣ ସେଠୀ ଗତକାଲି ରାତ୍ରିରେ କାମ ସାରି ଭୁବନେଶ୍ୱର ସ୍ଥିତ ଘରକୁ କାର ଯୋଗେ ଫେରୁଥିଲେ। ଏହି ସମୟରେ ମଜୁରୀକୁଣ୍ଡ ମୁଖ୍ୟ ରାସ୍ତା ଅନ୍ଧାରିଆ ସ୍ଥାନରେ ମୁହଁରେ ଗାମୁଛା ବାନ୍ଧି ଲୁଚି ରହିଥିବା ଜଣେ ଦୁର୍ବୃତ୍ତ ହଠାତ କାର ସାମ୍ନାକୁ ଆସିଯାଇଥିଲା। ନୃସିଂହ ହଠାତ କାରଟିକୁ ବ୍ରେକ ମାରିବା ପରେ ଦୁର୍ବୃତ୍ତ ଜଣଙ୍କ କାର ଉପରକୁ ଏକ ହାତ ତିଆରି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଏଥିରେ ମ୍ୟାନେଜର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏ ସମ୍ପର୍କରେ ନୃସିଂହ ଜଟଣୀ ଥାନାରେ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ବୋମା ମାଡ଼ରେ କାରର ଆଗ କାଚ ଭାଙ୍ଗିଯାଇଛି। ସେଠାରୁ ଡିପୋ ମ୍ୟାନେଜରଙ୍କୁ ଅନ୍ୟ ଏକ ଗାଡିରେ ପୁଲିସ ଭୁବନେଶ୍ୱର ସ୍ଥିତ ଘରକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଚୋରା ତେଲ ବେପାର ବିରୋଧରେ କାର୍ଯ୍ୟାନୁଷ୍ଠାନ ବିବାଦକୁ ନେଇ ଆକ୍ରମଣ ହୋଇଥିବା ପୁଲିସ ଅନୁମାନ କରୁଛି।