ବେଲଗାଭୀ,ଏଜେନ୍ସି: ଗତକାଲି ଜଣେ କୋଭିଡ-୧୯ ରୋଗୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବାପରେ ତାଙ୍କ ପରିବାର ଲୋକେ ଉତ୍ତେଜିତ ହୋଇ ହସ୍ପିଟାଲର ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବେଲଗାଭୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲରେ।
ସୂଚନା ଅନୁସାରେ ଜି ଗଳି ନାମରେ ଜଣେ ବ୍ୟକ୍ତିଙ୍କୁ ଗତ ୧୯ ତାରିଖରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ, ରୋଗୀଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ସେଠାରେ ତାଙ୍କର ନମୁନା ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରେ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି କରିବା ସହ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ। ତେବେ ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁକୁ ଆୟତ୍ତ କରିଥିବାବେଳେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।