ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ୮ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ ଜବତ, ୮ ଅଭିଯୁକ୍ତ ଗିରଫ

ବାଲେଶ୍ୱର,ଏନ୍ଏନ୍ଏସ୍: ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳରୁ ନିୟମିତ ଭାବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଛି। ଏହି ପରିପ୍ରେକ୍ଷୀରେ ପୁଲିସ ଆଜି ୮ଟି ପିକ୍ଅପ୍ ଭ୍ୟାନ ମାଧ୍ୟମରେ ଚାଲାଣ ହେଉଥିବା ପ୍ରାୟ ୮୦ ଗୋରୁଙ୍କୁ ଜବତ କରିଥିବା ଜଣାପଡ଼ିଛି। ଏଥିସହିତ ୮ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ପୁଲିସ ସୂଚନା ଅନୁସାରେ ଭଦ୍ରକର ବାସୁଦେବପୁର ଅଞ୍ଚଳରୁ ଗୋରୁଗୁଡ଼ିକ ପଶ୍ଚିମବଙ୍ଗର ସୁନାଖଣିଆ ଅଞ୍ଚଳକୁ ଚାଲାଣ କରାଯାଉଥିଲା। ଏ ସମ୍ପର୍କରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ଫାଣ୍ଡି ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ଶ୍ରୀଜଙ୍ଗ ଗାଁ ନିକଟରୁ ୮ଟି ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ ହୋଇଛି। ସେହିପରି କିଛିଦିନ ପୂର୍ବରୁ ମଧ୍ୟ ବାଲେଶ୍ୱର ଜିଲ୍ଲାରେ ଗୋରୁ ବୋଝେଇ ଟ୍ରକ ଜବତ ହୋଇଥିବା ବେଳେ ଗୋରୁମାନଙ୍କୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା।