ୟୁଜିସି ଶେଷ ବର୍ଷ ପରୀକ୍ଷା ବାତିଲ ପାଇଁ ଛାତ୍ର କଂଗ୍ରେସର ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁଜିସି ଶେଷ ବର୍ଷ ପରୀକ୍ଷା ବାତିଲ କରିବା ପାଇଁ ଝାରସୁଗୁଡ଼ା ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏନେଇ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କରୋନା କଟକଣା ଯୋଗୁ ଚଳିତ ବର୍ଷ ସରକାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବା ସହ ପରୀକ୍ଷାକୁ ମଧ୍ୟ ବାତିଲ କରିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ପରୀପ୍ରେକ୍ଷୀରେ ୟୁଜିସି ମଧ୍ୟ ସମସ୍ତ ଶେଷ ବର୍ଷ ପରୀକ୍ଷା ବାତିଲ କରିଥିଲା। ହେଲେ ଏବେ ହଠାତ ଗାଇଡଲାଇନ ପରିବର୍ତ୍ତନ କରି ସେପ୍ଟେମ୍ବର ମାସ ଶେଷସୁଦ୍ଧା ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷା କରିବାର ନିଷ୍ପତ୍ତି ନେଇଛନ୍ତି। ତେବେ ପୂର୍ବରୁ ପରୀକ୍ଷା ବାତିଲ କରାଯିବା ନେଇ ଘୋଷଣା କରିବା ପରେ ଏବେ ହଠାତ ପରୀକ୍ଷା କରିବାର ନିଷ୍ପତ୍ତିି ଛାତ୍ରଛାତ୍ରୀଙ୍କୁ ଦ୍ୱିଧାରେ ପକାଇଛି। ବିନା ପାଠପଢ଼ାରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ଛାତ୍ରଛାତ୍ରୀଙ୍କ ପକ୍ଷେ ସମ୍ଭବ ହେବ ନାହିଁ ଏବଂ ଏହାର କୁପ୍ରଭାବ ସେମାନଙ୍କର ଆଗାମୀ ବୃତ୍ତି ଉପରେ ପଡ଼ିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ୟୁଜିସି ଜାରି କରିଥିବା ଏହି ନୂତନ ଗାଇଡଲାଇନକୁ ପରିବର୍ତ୍ତନ କରି ଶେଷ ବର୍ଷ ପରୀକ୍ଷାକୁ ବାତିଲ କରୁ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସ କହିଛନ୍ତି କି, ସରକାର ୧୪ ଦିନ ମଧ୍ୟରେ ପରୀକ୍ଷା ବାତିଲର ନିଷ୍ପତ୍ତି ନନେଲେ ସମଗ୍ର ପଶ୍ଚିମ ଓଡ଼ିଶାରେ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଓ ଅନଶନ କରାଯିବ।