ଆସାମରେ ବନ୍ୟା: ୨୬ ଜିଲ୍ଲାର ୨୭.୬୪ ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁ ସଂଖ୍ୟା ୭୯

ଗୁଆହାଟୀ,ଏଜେନ୍ସି: ଆସାମରେ ହୋଇଥିବା ବନ୍ୟାରେ ୨୬ଟି ଜିଲ୍ଲାର ୨୭ ଲକ୍ଷ ୬୪ ହଜାର ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବନ୍ୟାରେ ହଜାର ହଜାର ଲୋକଙ୍କ ଘର-ଦ୍ୱାର ଭାଙ୍ଗିଯାଇଥିବା ବେଳେ ଚାଷୀ ଓ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ସେହିଭଳି ରାସ୍ତା, ପୋଲ ଆଦି ଭାଙ୍ଗିଯାଇଛି। ଗତକାଲି ବରପେଟା ଓ ଦକ୍ଷିଣ ସଲମରା ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଛି। ଏ ସମ୍ପର୍କରେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସେହିପରି ବନ୍ୟା ଯୋଗୁଁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ୯୦ ପ୍ରାଣୀଙ୍କର ମୃତ୍ୟୁ ହୋଇଥିବା ତଥ୍ୟ ମିଳିପାରିଛି।

ଏହି ସମୟରେ ଆସାମ ମୁଖ୍ୟ ଶାସନ ସଚିବ ସଂଜୟ କ୍ରିଷ୍ଣା ଲୋକଙ୍କୁ ଆଶ୍ୱସ୍ତି ଦେଇ କହିଛନ୍ତି ଯେ, ବନ୍ୟା ପରିଚାଳନରେ କୌଣସି ସମସ୍ୟା ନାହିଁ। ଏଥି ପାଇଁ ସ୍ୱତନ୍ତ୍ର ଟିମ ମୁତୟନ ହୋଇଛନ୍ତି। ରାଜ୍ୟରେ କୋଭିଡ-୧୯ ଏବେ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିବା ବେଳେ ବନ୍ୟା ଲୋକଙ୍କ ଅସୁବିଧାକୁ ଦ୍ୱିଗୁଣିତ କରିଛି।

ବନ୍ୟାରେ ଧେମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ସୋନିଥପୁର, ଡେରାଙ୍ଗ, ବାକସା, ନଳବାରୀ, ବରପେଟା, ଚିରାଙ୍ଗ, ବଙ୍ଗାଇଗାଁଓ, କୋକରାଝର, ଧୁବରୀ, ଦକ୍ଷିଣ ସଲମରା, ଗୋଲପୁର, କାମରୁପ, ମେଟ୍ରୋପୋଲିଟାନ, ମୋରିଗାଁ, ନଗାଓଁ, ଗୋଲଘାଟ, ଜୋରହାଟ, ମଜୁଲୀ, ଶିବସାଗର, ଦିବ୍ର୍ରୁଗଡ଼, ତିନସୁକିଆ, କରବି ଆଙ୍ଗଲଙ୍ଗ ଓ କଚର ଜିଲ୍ଲା ପ୍ରଭାବିତ ହୋଇଛି।