ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଛି।

ଆଜି କରୋନାରେ ମୃତ୍ୟୁ ହୋଇଥିବା ୫ ଜଣଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲାର, ଜଣେ ଜଗତସିଂହପୁର ଜିଲ୍ଲାର ଓ ଅନ୍ୟଜଣେ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ୩ ଜଣ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧା, ଜଣେ ୪୪ ବର୍ଷୀୟ ପୁରୁଷ ଓ ଜଣେ ୩୯ ବର୍ଷୀୟ ଯୁବକ ରହିଛନ୍ତି। ଜଗତସିଂହପୁର ଜିଲ୍ଲାର ମୃତକ ଜଣଙ୍କ ୬୭ ବର୍ଷୀୟ ବୃଦ୍ଧ ଏବଂ ତାଙ୍କୁ ପୂର୍ବରୁ ଡାଇବେଟିସ ଥିଲା। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ମୃତକ ଜଣଙ୍କ ୬୫ ବର୍ଷୀୟ ବୃଦ୍ଧା ସେ ବ୍ରୋଙ୍କାଇଟସ ଓ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ। ଅପରପକ୍ଷରେ ଆଜି ଆଉ ୨ ଜଣ କରୋନା ରୋଗୀଙ୍କ ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।