କେରଳରେ ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପ୍ରଥମ କରୋନା ମାମଲା ଜାନୁଆରୀ ୩୦ ତାରିଖରେ କେରଳରୁ ସାମ୍ନାକୁ ଆସିଥିଲା। ଆଉ ଏବେ ଦେଶରେ ପ୍ରଥମଥର ପାଇଁ ଗୋଷ୍ଠୀ ସଂକ୍ରମଣ ମଧ୍ୟ କେରଳରେ ପୁଷ୍ଟି ହୋଇଥିବା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜନ କହିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟୀ କହିଛନ୍ତି କି, କେରଳର ରାଜଧାନୀ ଥିରୁଅନନ୍ତପୁରମର ପୁନ୍ଥୁରା ଓ ପୁନୁଭିଲ୍ଲା ଅଞ୍ଚଳରେ ବଡ଼ ସଂଖ୍ୟାରେ କରୋନା ମାମଲା ସାମ୍ନାକୁ ଆସିଛି। ପୁନ୍ଥୁରାରେ ୫୦ ଜଣଙ୍କ କରୋନା ଟେଷ୍ଟ କରାଯାଇଥିବାବେଳେ ୨୬ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଆଉ ପୁନୁଭିଲ୍ଲାରେ ୫୭ ଜଣଙ୍କର ଟେଷ୍ଟ ହୋଇଥିବାବେଳେ ୨୬ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି। ଆକ୍ରାନ୍ତମାନେ କେଉଁଠୁ ସଂକ୍ରମଣ ହୋଇଛନ୍ତି ସେସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଏଥିସହିତ ଶନିବାରଠାରୁ ତଟୀୟ କ୍ଷେତ୍ରକୁ ସମ୍ପୂର୍ଣ୍ଣରୂପେ ଲକଡାଉନ କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କେରଳରେ ଗତ ୨୪ ଘଣ୍ଟାରେ ୭୯୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୬୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪,୯୯୫ ସୁସ୍ଥ ହୋଇଥିବାବେଳେ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୬ ହଜାର ୩୩ଜଣ ଚିକିତ୍ସିତ ହେଉଛନ୍ତି।