ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନରେ ବନ୍ଦୀ ଜୀବନ କାଟୁଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଉ ଏକ କନସୁଲାର୍ ଆକ୍ସେସ ଦିଆଯିବ ବୋଲି ଶୁକ୍ରବାର ପାକିସ୍ତାନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତର ଦାବି ସହ ସହମତ ହୋଇ ତୃତୀୟ କନସୁଲାର୍ ଆକ୍ସେସ ବୈଠକରେ କୌଣସି ପାକ୍ ଅଧିକାରୀ ଉପସ୍ଥିତ ରହିବେ ନାହିଁ ବୋଲି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମାମୁଦ କ୍ୟୁରେସି କହିଛନ୍ତି।
ଗୁରୁବାର ବୈଠକରେ ଭାରତୀୟ ଅଧିକାରୀ କୁଳଭୂଷଣଙ୍କ କଥା ଉପରେ ଗୁରୁତ୍ୱ ଦେଇନଥିଲେ ବୋଲି ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସି କହିଥିଲେ। ପାକ ଅଧିକାରୀମାନେ ଭାରତୀୟ ଅଧିକାରୀଙ୍କ ସହ କୁଳଭୂଷଣଙ୍କ ଆଲୋଚନା ପ୍ରତି କାନ ଡେରୁଥିବାରୁ ତା’ ଉପରେ ନୂଆଦିଲ୍ଳୀ ପ୍ରତିବାଦ କରିଥିଲା। ବୈଠକ ସମୟରେ ଅଡିଓ-ଭିଡିଓ ରେକର୍ଡିଂ ସମ୍ପର୍କରେ ମଧ୍ୟ ନୂଆଦିଲ୍ଲୀ ଆପତ୍ତି କରିଥିଲା। କୁରେସୀ ଅଭିଯୋଗ କରିଥିଲେ ଯେ କୁଳଭୂଷଣଙ୍କ ପ୍ରତି ଭାରତୀୟ ଅଧିକାରୀଙ୍କ ବ୍ୟବହାର ଆଶ୍ଚର୍ଯ୍ୟଜନକ ଥିଲା। ଉଲ୍ଲେଖଯୋଗ୍ୟ, ଗୁପ୍ତଚର ଏବଂ ଆତଙ୍କୀ ଗତିବିଧି ଅଭିଯୋଗରେ କୁଳଭୂଷଣଙ୍କୁ ୨୦୧୬ ମାର୍ଚ୍ଚ ୩ରେ ଗିରଫ କରାଯାଇଥିଲା।