ଆଇଆଇଟି ନାମଲେଖା ପାଇଁ ଦରକାର ନାହିଁ ଦ୍ୱାଦଶ ପରସେଣ୍ଟେଜ୍

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇଆଇଟିରେ ନାମଲେଖା ନିୟମକୁ ସରକାର କୋହଳ କରିଛନ୍ତି। ଯଦ୍ୱାରା ଏଥର ନାମ ଲେଖାବେଳେ ଯୁକ୍ତ ଦୁଇ ନମ୍ବରକୁ ବିଚାରକୁ ନିଆଯିବନି। କେବଳ ଦ୍ୱାଦଶରେ ପାସ୍ କରି ଜେଇଇ ଆଡଭାନ୍ସଡରେ ସଫଳ ହୋଇଥିଲେ ରାଙ୍କ ଆଧାରରେ ନାମଲେଖା ହେବ। ଏନେଇ ଟ୍ୱିଟ ଯୋଗେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ପୂର୍ବରୁ ଜେଇଇ ପ୍ରବେଶିକା ପରୀକ୍ଷା ସହ ଯୁକ୍ତ ଦୁଇରେ ୭୫ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ ଥିଲା। କରୋନା ଯୋଗୁ ଏଥର ଅନେକ ବିଷୟରେ ପରୀକ୍ଷା ନହୋଇ ବି ଛାତ୍ରଛାତ୍ରୀଙ୍କୁ ସେମାନେ ଦେଇଥିବା ଅନ୍ୟ ବିଷୟ ଆଧାରରେ ଆନୁମାନିକ ମାର୍କ ମିଳିଥିବାରୁ ଯୁକ୍ତ ଦୁଇ ମାର୍କକୁ ଗୁରୁତ୍ୱ ଦିଆଯିବ ନାହିଁ। ଏହି କୋହଳ ନିୟମ କେବଳ ଚଳିତ ବର୍ଷ ପାଇଁ ଲାଗୁ ହେବ ବୋଲି ପୋଖରିୟାଲ ସୂଚନା ଦେଇଛନ୍ତି।