ଦେବଗଡ଼,ଏନ୍ଏନ୍ଏସ୍ : ଦେଓଗଡ଼ ଜିଲ୍ଲା ରିଆମାଳ ଥାନ ଅନ୍ତର୍ଗତ କଙ୍କରଖୋଳ ଗ୍ରାମରେ ଗତ ଏପ୍ରିଲ ୨୮ ତାରିଖରେ ଘଟିଥିବା ସନ୍ତୋଷ ପ୍ରଧାନ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ ହୋଇଛି। ଏନେଇ ନାଉଲିପଡ଼ା ଓ ଲୁଲଙ୍ଗ ପଞ୍ଚାୟତ ଅଞ୍ଚଳର ବହୁ ମହିଳା ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସନ୍ତୋଷ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ରିଆମାଳ ଥାନା ପୁଲିସ ପ୍ରକୃତ ଦୋଷୀକୁ ଘୋଡ଼ାଇବା ସହ ଉକ୍ତ ଅଞ୍ଚଳର ଅନେକ ଲୋକଙ୍କୁ ତଦନ୍ତ ନାମରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି। ସେହିପରି ଲୁଲଙ୍ଗ, ନାଉଲିପଡ଼ା ଓ ଟିଙ୍କବିର ଗ୍ରାମର ୫ଜଣ ବରିଷ୍ଠ ନାଗରିକଙ୍କ ସମେତ ୧୦ଜଣ ନିରୀହ ଲୋକଙ୍କୁ ହତ୍ୟାକାଣ୍ଡ ଘଟଣାରେ ମିଥ୍ୟା ମାମଲା ରୁଜୁ କରାଯାଇଛି। ଏଥିସହିତ ଗତ ଜୁନ ୨୬ ତାରିଖ କୋର୍ଟ ଚାଲାଣ କରି ସେମାନଙ୍କୁ ଜେଲ ହାଜତକୁ ପଠାଯାଇଥିବା ଅଭିଯୋଗ କରିବା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ପ୍ରକୃତ ଦୋଷୀଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ। ଏଥିସହିତ ଦାବିପତ୍ରର ନକଲ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଆରକ୍ଷୀ ଅଧୀକ୍ଷକ, ଉତ୍ତରାଞ୍ଚଳ ଡିଆଇଜି, ଡିଜି ଓ କ୍ରାଇମବ୍ରାଞ୍ଚ ସାଧାରଣ ନିର୍ଦ୍ଦେଶକଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।