ବାରିପଦା,ଏନ୍ଏନ୍ଏସ୍: ଗତକାଲି ରାତିରେ ବାରିପଦା ଟାଉନ ଥାନା ପାଟ୍ରୋଲିଂ ଟିମ ପକ୍ଷରୁ ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୨୪ କାଳିକାପୁର ଅଞ୍ଚଳରେ ଏକ ଘର ଉପରେ ଚଢ଼ଉ କରି ଚୋରା ବିଦେଶୀ ମଦ ବ୍ୟବସାୟ ଓ ଜୁଆ ଆଡ୍ଡା ଚଳାଉ ଥିବା ଅଭିଯୋଗରେ ଘରର ମାଲିକ ସହିତ ୧୧ ଜୁଆଡ଼ି, ତାସ, ନଗଦ ୧୮,୩୯୦ ଟଙ୍କା ଓ ୫୦ ବୋତଲ ବିଅର ଜବତ କରାଯାଇଛି। ଘଟଣାସ୍ଥଳରୁ ପୁଲିସ ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୧୧ ଢ଼ିପାସାହି ଅଞ୍ଚଳର ଦିଲ୍ଲୀପ ପାଲ, କାଳିକାପୁର ଅଞ୍ଚଳର ନାରାୟଣ ଦେ, ନିଲୁ ମୁଖୀ, ତରୁଣ ପାଳ, ପବନ ମୁଖୀ, କାଲୁ ମୁଖୀ, ମିଥୁନ ମୁଖୀ, ୱାର୍ଡ଼ ନମ୍ବର ୯ ମଧୁବନ ଅଞ୍ଚଳର ସୟ ସିଂ, ବିଜୟ ସିଂ, ବାପି ଦେ ଏବଂ କାଳିକାପୁର ଅଞ୍ଚଳରେ ରହୁଥିବା ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ସାମୁରାଇପୁର ଅଞ୍ଚଳର ଜିତେନ୍ଦ୍ର ବେହେରାଙ୍କୁ ପୁଲିସ ଗିରଫ କରିଥିଲା। ଏନେଇ ବାରିପଦା ଟାଉନ ଥାନାରେ ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି। ବାରିପଦା ଟାଉନ ଥାନା ଏସଆଇ ତଥା କଟକ ଜଗତପୁର ରାମଦେବ କଲୋନୀର ରଞ୍ଜନ କୁମାର ବେହେରାଙ୍କ ଲିଖିତ ଅଭିଯୋଗ କ୍ରମେ ଚୋରା ବିଦେଶୀ ମଦ ବ୍ୟବସାୟ ଚଳାଇଥିବା ଅଭିଯୋଗରେ ନିର୍ମଳ ବୈଠାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଜୁଆ ଆଡ୍ଡା ଚଳାଇଥିବା ଅଭିଯୋଗରେ ନିର୍ମଳ ବୈଠାଙ୍କ ସହ ଅନ୍ୟ ୧୧ ଜଣ ଜୁଆଡ଼ିଙ୍କ ନାମରେ ମାମଲା ରୁଜୁ କରାଯାଇଛି।