ନବରଙ୍ଗପୁରରେ ଜଣେ ଡାକ୍ତରଙ୍କୁ କରୋନା, ସିଲ ହେଲା ଉପ ସ୍ୱାସ୍ଥ୍ୟ କେନ୍ଦ୍ର

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁରର ଗୁମାଗୁଡା ଉପସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ହସ୍ପିଟାଲକୁ ସିଲ୍ କରିଦିଆଯାଇଛି। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଉକ୍ତ ଡାକ୍ତର ଜଣଙ୍କ ଗୁମାଗୁଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ତେବ ସେ ଏଏନଏମ, ସ୍ୱାସ୍ଥ୍ୟ କର୍ମୀ ସମେତ ୪ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ସିଡିଏମଓଙ୍କ ସହ ମଧ୍ୟ ମିଶିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଆକ୍ରାନ୍ତ ଡାକ୍ତର ଜଣଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ନବରଙ୍ଗପୁରରୁ ବ୍ରହ୍ମପୁର ଯାଇ ଫେରିଥିଲେ ହେଁ ସଂଗରୋଧରେ ନରହି କାର୍ଯ୍ୟରେ ଯୋଗଦେଇଥିଲେ। ତେବେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ନବରଙ୍ଗପୁର କୋଭିଡ ହସପିଟାଲକୁ ପଠାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩୬ରେ ପହଞ୍ଚିଛି। ସେଥିରୁ ୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ୪୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସେହିପରି ଉକ୍ତ ଡାକ୍ତର ଡ୍ୟୁଟି କରୁଥିବା ହେତୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।