ଦିଲ୍ଲୀରେ ସୁଧୁରୁଛି କୋଭିଡ୍-୧୯ ସ୍ଥିତ

ନୂଆଦିଲ୍ଲୀ,ଏଜେନ୍ସି: ଜୁଲାଇ ମାସରେ ଦିଲ୍ଲୀର କୋଭିଡ୍-୧୯ ସ୍ଥିତି କିପରି ରହିବ ସେ ସମ୍ପର୍କରେ ପୂର୍ବରୁ କରାଯାଇଥିବା ଅନୁମାନ ଭୁଲ୍ ବୋଲି ପ୍ରମାଣିତ ହୋଇଛି। ପୂର୍ବ ତୁଳନାରେ ଦିଲ୍ଲୀରେ କୋଭିଡ୍-୧୯ ସ୍ଥିତିରେ ସୁଧାର ଆସିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ପୂର୍ବରୁ କରାଯାଇଥିବା ଅନୁମାନକୁ ବିଶ୍ଲେଷଣ କରି ସେ କହିଛନ୍ତି ଯେ, ଦିଲ୍ଲୀରେ ଜୁଲାଇ ୧୫ ମଧ୍ୟରେ ୨ଲକ୍ଷ ୨୫ ହଜାର କୋଭିଡ୍ ପଜିଟିଭ୍ ଚିହ୍ନଟ ହେବ ବୋଲି ଅନୁମାନ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ଅନୁମାନ କରାଯାଇଥିବା ସଂଖ୍ୟାର ଅଧା କରୋନା ରୋଗୀ ଅର୍ଥାତ୍ ୧ଲକ୍ଷ ୧୫ ହଜାର କରୋନା ରୋଗୀ ଚିହ୍ନଟ ହେବା ସହ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି କେଜରିୱାଲ୍।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କେଜରିୱାଲ୍ ଜୁଲାଇ ୩୧ ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୫୦ ହଜାରରେ ପହଞ୍ଚିବ ଏବଂ ଜୁଲାଇ ୧୫ ସୁଦ୍ଧା ୩୩ ହଜାର ବେଡ୍ ଆବଶ୍ୟକ ପଡ଼ିବ ବୋଲି ଜୁନ୍ ମାସରେ ଦାବି କରିଥିଲେ। କୋଭିଡ୍ ମୁକାବିଲାରେ ବର୍ତ୍ତମାନ ଦିଲ୍ଲୀର ସ୍ଥିତିରେ ଯେଉଁ ସୁଧାର ଆସିଛି ସେଥିପାଇଁ କେଜରିୱାଲ୍ କେନ୍ଦ୍ରସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଦିଲ୍ଲୀ ସରକାର ଏକା କରୋନା ବିରୋଧରେ ଲଢିଥିଲେ ଦିଲ୍ଲୀର ସ୍ଥିତିରେ ସୁଧାର ଆସିପାରିନଥାନ୍ତା। କେନ୍ଦ୍ର ସରକାରଙ୍କ ସହାୟତାକୁ ଧନ୍ୟବାଦ ଦେବା ସହ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଅରବିନ୍ଦ କେଜରିୱାଲ୍।