ଚୀନ୍ ବିରୋଧରେ ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ, ଚାଇନା ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ବିଲ୍ ପାଶ୍

ୱାଶିଂଟନ୍,ଏଜେନ୍ସି: ହଂକଂ ବିରୋଧରେ ଚୀନର ଦମନମୂଳକ ନୀତିକୁ ଆମେରିକା ପକ୍ଷରୁ ବିରୋଧ କରାଯିବା ସହିତ ବୁଧବାର ଏଥିନେଇ ଶକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଚୀନର ଯେଉଁ ଅଧିକାରୀମାନେ ହଂକଂ ବିରୋଧ ଦମନମୂଳକ ଆଇନ୍ ଲାଗୁ କରୁଛନ୍ତି ସେମାନଙ୍କ ବିରୋଧରେ କଟକଣା ଜାରି କରିବାକୁ ଆମେରିକା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ୍ ବିଲ୍ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋହର ଲଗାଇଛନ୍ତି। ଦମନମୂଳକ ଆଇନ୍ ଲାଗୁ କରି ହଂକଂ ବାସୀଙ୍କ ସ୍ୱାଧୀନତା ଏବଂ ଏକାଗ୍ରତା ଛିନ୍ନ କରିବାରେ ଚୀନର ଯେଉଁ ବିଶେଷ ଅଧିକାରୀ କିମ୍ବା ସଂସ୍ଥା କାର୍ଯ୍ୟ କରୁଛି ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଏହି ବିଲ ମାଧ୍ୟମରେ ଆମେରିକୀୟ ପ୍ରଶାସନକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ବୋଲି ଏହି ବିଲ୍‌ରେ ମୋହର ମାରିବା ପରେ ରାଷ୍ଟ୍ରପତି ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସାଂପ୍ରତିକ ପରିପ୍ରେକ୍ଷୀରେ ହଂକଂକୁ ନେଇ ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା ଦ୍ୱିଗୁଣିତ ହୋଇଥିବା ବେଳେ ହଂକଂକୁ ସମସ୍ତ ଦିଗରୁ ଅଗ୍ରାଧିକାର ଦେବାକୁ ଟ୍ରମ୍ପ୍ ଆମେରିକୀୟ ପ୍ରଶାସନକୁ ମଧ୍ୟ ଲିଖିତ ଆକାରରେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ପୂର୍ବରୁ ହଂକଂକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରି ଆମେରିକା ବାଣିଜ୍ୟିକ କାରବାର ଦୃଷ୍ଟିରୁ କିଛିଟା ଅଗ୍ରାଧିକାର ଦେଇ ଆସୁଥିବା ବେଳେ ଏଣିକି ଚୀନ୍ ଭଳି ହଂକଂକୁ ମଧ୍ୟ ଏକ ପୂର୍ଣ୍ଣ ରାଷ୍ଟ୍ରର ମର୍ଯ୍ୟାଦା ଦିଆଯିବ ଏବଂ ବାଣିଜ୍ୟିକ କାରବାର କ୍ଷେତ୍ରରେ ମଧ୍ୟ ସମାନ ନୀତି ଅବଲମ୍ବନ କରାଯିବ ବୋଲି ଟ୍ରମ୍ପ୍ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ହଂକଂକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିବା ଦିଗରେ ୧୯୮୪ରେ ଯୁକ୍ତରାଜ୍ୟ ଏବଂ ଚୀନ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ହେଁ ଏହାକୁ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ଚୀନ୍ ପକ୍ଷରୁ ନିକଟରେ ଏକ ନୂତନ ସୁରକ୍ଷା ଆଇନ୍ ପ୍ରଣୟନ କରାଯାଇଛି। ଚୁକ୍ତି ଉଲ୍ଲଂଘନ କରିବା ଏବଂ ହଂକଂ ବାସୀଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ କରିବା ନେଇ ଚୀନର ଏଭଳି ଆଭିମୁଖ୍ୟକୁ ଆମେରିକା ପକ୍ଷରୁ ବିରୋଧ କରାଯାଇଥିଲା ବେଳେ ଟ୍ରମ୍ପ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଟ୍ରମ୍ପଙ୍କ ବ୍ୟତୀତ ଆମେରିକାର ଉପ ରାଷ୍ଟ୍ର ସଚିବ ମାଇକ୍ ପୋମ୍ପେଓ ମଧ୍ୟ ଚୀନ୍ ଦ୍ୱାରା ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଏବଂ ହଂକଂ ବିରୋଧୀ ମନୋଭାବକୁ ନେଇ ତୀବ୍ର ନିନ୍ଦା କରିଛନ୍ତି।