ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶିତ: ଅଚ୍ୟୁତାନନ୍ଦ ବିଶ୍ୱାସ ଟପ୍ପର

ମାଲକାନଗିରି,ଏନ୍ଏନ୍ଏସ୍: ଆଜି ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥିରେ ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟ-୦୧କୁ ଶତ ପ୍ରତିଶତ ସଫଳତା ମିଳିଛି। ସମୁଦାୟ ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ପାସ ହୋଇଥିବାବେଳେ ୭୫ ଜଣ ଶତକଡ଼ା ୬୦ ପ୍ରତିଶତ ଆଣି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ବିଦ୍ୟାଳୟର ଶତକଡ଼ା ୭୫ ପ୍ରତିଶତ ମାର୍କ ଆଣି ୪୭ ଜଣ ଛାତଛାତ୍ରୀ ଡିଷ୍ଟିଙ୍ଗସ ପାଇଛନ୍ତି।  ଛାତ୍ର ଅଚ୍ୟୁତାନନ୍ଦ ବିଶ୍ୱାସ ଶତକଡ଼ା ୯୬ ପ୍ରତିଶତ ନମ୍ବର ରଖି ସମଗ୍ର ଜିଲ୍ଲାରେ ଟପ୍ପର ହୋଇଛନ୍ତି। ସେହିଭଳି ରଜତ କାୟଲ ଓ ଜ୍ୟୋତି ରଞ୍ଜନ ବାରିକ ଯଥାକ୍ରମେ ଶତକଡ଼ା ୯୪ ପ୍ରତିଶତ ଓ ଶତକଡ଼ା ୯୩.୦୮ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏଠାରେ ପ୍ରକାଶ ଥାଉକି, ନବୋଦୟ ବିଦ୍ୟାଳୟର-୦୧ ମାଲକାନଗିରିର ଚଳିତବର୍ଷର ଫଳାଫଳ ଉତ୍ସାହଜନକ ହୋଇଥିବାରୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟକ୍ଷ ଟିଭିଏସ ପ୍ରକାଶ ରାଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଧ୍ୟକ୍ଷ ଶ୍ରୀ ରାଓ ବିଦ୍ୟାଳୟର ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପିକା ଓ ଅଧ୍ୟାପକଙ୍କୁ ପ୍ରଶଂସା କରିଛନ୍ତି।