ଲଖନପୁର,ଏନ୍ଏନ୍ଏନ୍: ଏହି ବ୍ଲକ କତରବଗା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସାପ କାମୁଡ଼ାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଶିକ୍ଷୟିତ୍ରୀ ଜଣକ ହେଲେ ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ ଚିଖିଲି ଗାଁର ବିଜିଲିବତୀ ଭୋଇ (୩୮) । ସୂଚନା ଅନୁଯାୟୀ, କତରବଗା ପଞ୍ଚାୟତର କତରବଗା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶ୍ରୀମତୀ ଭୋଇ ଦୀର୍ଘ ଦିନରୁ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ଗତକାଲି ରାତିରେ ସେ ତାଙ୍କ ସ୍ୱାମୀ ଶଙ୍କର ଭୋଇ ଓ ଦୁଇ ପୁଅଙ୍କ ସହିତ ଶିକ୍ଷାକେନ୍ଦ୍ରର ବାରଣ୍ଡାରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ବିଜିଲୀଙ୍କୁ ସାପ କାମୁଡି ଦେଇଥିଲା। ଏନେଇ ସେ ସ୍ୱାମୀଙ୍କୁ ଜଣାଇବାରୁ ବେଳପାହାଡ଼ସ୍ଥିତ ଟିଆରଏଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ମୃତ ଶିକ୍ଷୟିତ୍ରୀଙ୍କ ଭାଇ କୃଷ୍ଣଚନ୍ଦ୍ର ବାରିକ କହିଛନ୍ତି । ରେଙ୍ଗାଲି ପୁଲିସ ଖବରପାଇ ଶବ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।