ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲ୍ଲୀଙ୍କ ପଦ ଟଳମଳ ହେଉଥିବାବେଳେ ସେ ଲଗାତାର ଭାବେ ଭାରତକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଅଲ୍ଲୀ ଭଗବାନ ରାମଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଅସଲ ଅଯୋଦ୍ଧା ଭାରତରେ ନୁହେଁ, ନେପାଳର ବୀରଗଞ୍ଜରେ ରହିଛି। ଆଉ ଭଗବାନ ରାମ ନେପାଳୀ, ଭାରତୀୟ ନୁହଁନ୍ତି।’
ଅଲ୍ଲୀଙ୍କ ଏହି ଦାବି ଉପରେ ନେପାଳର ପ୍ରାକ୍ତନ ଉପପ୍ରଧାନମନ୍ତ୍ରୀ କମଲ ଥାପ୍ପା ଆପତ୍ତି ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି କି, ‘କୌଣସି ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପରି ଆଧାରହୀନ ଓ ଅପ୍ରାମାଣିତ ବୟାନ ଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏପରି ଲାଗୁଛି କି, ଭାରତ ଓ ନେପାଳ ମଧ୍ୟରେ ଲାଗି ରହିଥିବା ଚିନ୍ତାଜନକ ସ୍ଥିତିକୁ କମାଇବା ବଦଳରେ ଅଲ୍ଲୀ ଉଭୟ ଦେଶର ସମ୍ପର୍କ ଆହୁରି ଖରାପ କରିବାକୁ ଚାହୁଁଛନ୍ତି।’ କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ଅଲ୍ଲୀଙ୍କ ଏଭଳି ବିବାଦୀୟବୟାନ ପରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଅସନ୍ତୋଷ ଦେଖାଦେଇଛି।
ସୂଚନାଯୋଗ୍ୟ, ଏହାପୂର୍ବରୁ ନେପାଳରେ ଭାରତୀୟ ଚ୍ୟାନେଲ୍ ପ୍ରସାରଣ ଉପରେ ରୋକ ଲଗାଯାଇଥିଲା। ଭାରତୀୟ ଚ୍ୟାନେଲରେ ନେପାଳ ବିରୋଧରେ ଆପତ୍ତିଜନକ ଖବର ପ୍ରସାରଣ କରାଯାଉଥିବା ଆରୋପ ଲଗାଇ ଏହି ରୋକ ଲଗାଯାଇଥିଲା। କିଛିଦିନ ତଳେ ଅଲ୍ଲୀଙ୍କ ପାର୍ଟି ତାଙ୍କ ଇସ୍ତଫା ଦାବି କରିବାରୁ ସେ ଏହାର ଦୋଷ ମଧ୍ୟ ଭାରତ ଉପରେ ଲଦି ଦେଇଥିଲେ।