ରାଜସ୍ଥାନ କଂଗ୍ରେସ ସରକାରରେ ସଙ୍କଟ, ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କୁ ୨୩ ବିଧାୟକଙ୍କ ସମର୍ଥନ!

ନୂଆଦିଲ୍ଲୀ/ଜୟପୁର,ଏଜେନ୍ସି: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସଙ୍କଟ ସୃଷ୍ଟି ହୋଇଛି। ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଳୀରେ ପହଞ୍ଚିଛନ୍ତି। ଏହି ଅବସରରେ ସେ କହିଛନ୍ତି ତାଙ୍କୁ ୨୩ ଜଣ ବିଧାୟକ ସମର୍ଥନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ୍ ସୋମବାର ଡାକିଥିବା ବିଧାୟକଙ୍କ ବୈଠକରେ ସେ ଯୋଗ ଦେବେ ନାହିଁ ବୋଲି ପାଇଲଟ୍ ସ୍ପଷ୍ଟ କରିଦେଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା, ପାଇଲଟ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ ମଧ୍ୟ ତାଙ୍କର ଭେଟ ହୋଇପାରିନାହିଁ। କେବଳ ଉଭୟଙ୍କ ମଧ୍ୟରେ ଟେଲିଫୋନ୍ରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ଭାଙ୍ଗିବାର ୩ ମାସ ପରେ ରାଜସ୍ଥାନରେ ଦଳ ଅନୁରୂପ ସଙ୍କଟ ଆଡକୁ ଗତି କରୁଛି। କଂଗ୍ରେସ ସରକାରର ଏଭଳି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ସୁଯୋଗକୁ ଅପେକ୍ଷା କରିଛି ବିଜେପି। ଏହି ଅବସରରେ ରବିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବାସଭବନରେ ବିଧାୟକମାନଙ୍କର ଏକ ବୈଠକ ବସିଥିଲା। ଦଳର ସବୁ ବିଧାୟକ ଏକଜୁଟ୍ ଅଛନ୍ତି ବୋଲି ସେଭଳି ଏକ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏହି ବୈଠକ ଡକାଯାଇଥିଲା। ସୋମବାର ମଧ୍ୟ ବିଧାୟକମାନଙ୍କର ଆଉ ଏକ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ରହିଛନ୍ତି। ଏହାଛଡ଼ା ୧୨ ସ୍ୱାଧୀନ ବିଧାୟକ ସରକାରଙ୍କୁ ସମର୍ଥନ କରୁଛନ୍ତି। ରାଷ୍ଟ୍ରୀୟ ଲୋକଦଳ, ସିପିଏମ୍ ଓ ଭାରତୀୟ ଆଦିବାସୀ ପାର୍ଟି ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସରକାରକୁ ସମର୍ଥନ କରୁଛନ୍ତି। ଅପରପକ୍ଷରେ ପାଇଲଟ୍ ତାଙ୍କୁ ୨୩ ବିଧାୟକ ସମର୍ଥନ କରୁଥିବା ଦାବି କରିଛନ୍ତି। ବିରୋଧୀ ଦଳରେ ବିଜେପିର ୭୨, ଆରଏଲପି ୩ ଓ ସ୍ୱାଧୀନ ୧ ବିଧାୟକ ଅଛନ୍ତି।