ବରଗଡ଼ରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ

ବରଗଡ଼,ଏନ୍ଏନ୍ଏସ୍: ରବିବାର ବରଗଡ଼ ଜିଲ୍ଲାରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଟିଏମସିର ଏବଂ ଜଣେ କରୋନା ଯୋଦ୍ଧା ସ୍ଥାନୀୟ ଆକ୍ରାନ୍ତ ବୋଲି ସୂଚନା ମିଳିଛି। ଝାରବନ୍ଧ ବ୍ଲକର ଚିହ୍ନଟ ଆକ୍ରାନ୍ତ ଜଣକ ବିଦେଶ ଫେରନ୍ତା ଏବଂ ସେ ଡୁଙ୍ଗୁରିପାଲି ଟିଏମସିରେ ଥିବା ବେଳେ ଅମ୍ବାଭୋନା ବ୍ଳକ ରୁଚିଦା ଟିଏମ୍ସିର ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ବୋଲି ଜଣାପଡିଛି।

ସେହିପରି କଟାପାଲିର ସ୍ଥାନୀୟ ଆକ୍ରାନ୍ତ ଜଣଙ୍କ କରୋନା ଯୋଦ୍ଧା ବୋଲି ସୂଚନା ମିଳିଛି। ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବରଗଡ଼ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୭୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨୮ ଜଣ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି।