ମାଲକାନଗିରି ଜିଲ୍ଲାରେ ଆଜି ୩୬ କରୋନା ପଜିଟିଭ ଚିହ୍ନଟ

ମାଲକାନଗିରି/କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଆଜି ଜିଲ୍ଲାର ମାଲକାନଗିରି ପୌର ପରିଷଦ, ଖଇରିପୁଟ ବ୍ଲକ ଏବଂ ବାଲିମେଳା ଏନଏସିରେ ମୋଟ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମାଲକାନଗିରି ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏଥିସହ ଜିଲ୍ଲାରେ ଆକ୍ର।ନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଆକ୍ରାନ୍ତ ମାଲକାନଗିରି ପୌର ପରିଷଦର ହୋଇଥିବାବେଳେ ୧୫ ଆକ୍ରାନ୍ତ ବାଲିମେଳା ଏନଏସିର ଏବଂ ଜଣେ ଆକ୍ରାନ୍ତ ଖଇରପୁଟ ବ୍ଲକର ବୋଲି ଜଣାପଡିଛି।

ମାଲକାନଗିରି ପୌର ପରିଷଦ ଅଞ୍ଚଳରୁ ଚହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା ମିଳିଛି। ସେହିପରି ବାଲିମେଳା ଏନଏସିର ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସହ ଅନ୍ୟ ଜଣେ ତେଲେଙ୍ଗାନା ଫେରନ୍ତା ଥିଲେ। ତାଙ୍କୁ ବାଲିମେଳା କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା। ତେବେ ଅନ୍ୟ ଜଣେ ଆକ୍ରାନ୍ତ ଖଇରପୁଟ ବ୍ଲକର ବୋଲି ଜଣାପଡିଛି। ଜିଲ୍ଲାରେ ମୋଟ ୧୭୦ ଜଣଙ୍କ ମଧ୍ୟରୁ ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୬୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ ଯୋଗେ ସୂଚନା ଦେଇଛି। ତେବେ ଦିନକୁ ଦିନ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟ ବଢୁଥିବା ହେତୁ ତାହା ବର୍ତ୍ତମାନ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।