ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲାରେ ନିଦ ହଜାଇଲା କରୋନା। ଆଜି ଜିଲ୍ଲାରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩୫ ଜଣ ସ୍ଥାନୀୟ ସଂକ୍ରମଣ ଏବଂ ୨ ଜଣ ସଂଗରୋଧ କେନ୍ଦ୍ରରୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ଗାଁ ବ୍ଲକରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ବ୍ଲକରୁ ୧୫ ଜଣ, ଖଣ୍ଡପଡ଼ା ବ୍ଲକରୁ ଜଣେ ଏବଂ ଗଣିଆ ବ୍ଲକରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡ଼ଗାଁ ବ୍ଲକ ସୁନାମୁହିଁରୁ ୧୪ ଜଣ ଆକ୍ରାନ୍ତ ରହିଥିବା ବେଳେ ଗିରିଡ଼ିପଲ୍ଲୀ, କୋମଣ୍ଡ, କୁରାଳ ଏବଂ ଖଙ୍ଗାରପଲ୍ଲୀରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନାମୁହିଁ ପଞ୍ଚାୟତରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୂର୍ବରୁ ଜିଲ୍ଲାପାଳ ଏହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଥିବା ବେଳେ ଏବେ ସରପଞ୍ଚ ମାନସ କୁମାର ସାହୁ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି।
ସେହିଭଳି ଗଣିଆ ବ୍ଲକ କିଶୋର ପ୍ରସାଦ ସଂଗରୋଧ କେନ୍ଦ୍ରରୁ ବାହାର ରାଜ୍ୟରୁ ଫେରିଥିବା ଦୁଇ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଣିଆ ବ୍ଲକର ଜଣେ ସରକାରୀ କର୍ମଚାରୀଙ୍କୁ କରୋନା ହୋଇଥିବା ଜଣାଯାଇଛି। ଏହାକୁ ନେଇ ଗଣିଆ ବ୍ଲକ କାର୍ଯ୍ୟାଳୟକୁ ଏବଂ ବ୍ଲକ କଲୋନୀକୁ ସିଲ୍ କରାଯାଇଥିବା ବେଳେ ବିଡିଓ ସିରିଏଲ୍ ପଟେଲଙ୍କ ସମେତ ଅନ୍ୟ କିଛି କର୍ମଚାରୀ ଗୃହ ସଂଗରୋଧରେ ରହିଥିବା ବିଡିଓ ସୂଚନା ଦେଇଛନ୍ତି।
ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଥିବା ବେଳେ ଏହାକୁ ନେଇ ବେଣାଗାଡ଼ିଆ ଗ୍ରାମରେ ମଧ୍ୟ କଟକଣା କରାଯାଇଛି।
ନୟାଗଡ଼ ବ୍ଲକ ଏବଂ ପୌରାଞ୍ଚଳରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହି ୧୫ ଜଣଙ୍କ ମଧ୍ୟରେ ୪ ଜଣ ପୁଲିସ କର୍ମଚାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ରହିଥିବା ଜଣାଯାଇଛି। ଏହି ପୁଲିସ କର୍ମଚାରୀ ୮ମ ବାଟାଲିଅନର ବୋଲି ଆଲୋଚନା ହେଉଥିବା ବେଳେ ତାଙ୍କ ମଧ୍ୟରୁ ଜଣେ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାକୁ କୌଣସି କାରଣରୁ ଯାଇଥିବା ଜଣାଯାଇଛି। ଏମାନେ ନୟାଗଡ଼ ଟାଉନଥାନା ବାରାକରେ ରହି ଡ୍ୟୁଟି କରୁଥିବା ନେଇ ସୂଚନା ମିଳିଛି। ଏହାକୁ ନେଇ ପୁଲିସ ବିଭାଗରେ ମଧ୍ୟ ଚିନ୍ତା ବଢ଼ିଛି। ସେହିଭଳି ସହର ନିକଟସ୍ଥ ମାଛିପଡ଼ାରୁ ଜଣେ, ତୁଳସୀପୁର ୨ ଜଣ, ଲକ୍ଷ୍ମୀପ୍ରସାଦରୁ ଜଣେ, ପାଲାଗଣ୍ଠୁଣୀରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ ପୌରାଞ୍ଚଳ ବାରମାସୀ ଦଣ୍ଡାରୁ ଜଣେ, ଡିଆନବନ୍ଧ ସାହିରୁ ଜଣେ, ପୁରୁଣାସହରରୁ ଜଣେ ଏବଂ ଏମ୍ଆଇ କଲୋନୀରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିସ୍ଥଳେ ନୟାଗଡ଼ ପୁରୁଣା ସହର ଏମ୍ଆଇ୍ କଲୋନୀ ଏବଂ ବଳରାମ ସାହିକୁ ଜିଲ୍ଲାପାଳ ଡ. ପୋମା ଟୁଡୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।
ଅନ୍ୟପଟେ, ଜିଲ୍ଲାରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନିକ ମହଲରେ ମଧ୍ୟ ଛନକା ପଶିଥିବା ଜଣାଯାଇଛି। ସେହିପରି ଜିଲ୍ଲାରୁ ଆଜି ୧୮ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଫଳରେ ପୂର୍ବ ୧୬୪ ସୁସ୍ଥଙ୍କୁ ମିଶାଇ ଏହି ସଂଖ୍ୟା ୧୮୨ରେ ପହଞ୍ଚିଥିବା ଜଣାଯାଇଛି।