ବାରିପଦା,ଏନ୍ଏନ୍ଏସ୍: ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କ କାର୍ଯ୍ୟାଳୟର ଗୁମର ଫିଟିବା ଆରମ୍ଭ ହୋଇଛି। ଠିକାଦାରଙ୍କ ଜାଲ ଦସ୍ତଖତରେ ସାଢ଼େ ୪ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିଲା । ଉକ୍ତ କାର୍ଯ୍ୟାଳୟର ଜେଇ ସନ୍ତୋଷ କୁମାର ଦାସଙ୍କ ନାମରେ ଠିକାଦାର ତପନ କୁମାର ହାବଡ଼ା ଏଭଳି ସଙ୍ଗୀନ ଅଭିଯୋଗ ଆଣି ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଜେଇ ଶ୍ରୀଦାସଙ୍କ ନାମରେ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ସ୍ଥାନୀୟ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ ବାରିପଦା ପିଏ ଆଇଟିଡିଏଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟାଦେଶ ନଂ ୫୫୧୩/୦୯.୧୨.୨୦୧୩ ଅନୁସାରେ ୧.୨୦ କୋଟିରୁ ଅଧିକ ବ୍ୟୟ ବରାଦରେ ଶହେ ଶଯ୍ୟା ବିଶିଷ୍ଟ ଜନଜାତି ବାଳିକା ଛାତ୍ରୀନିବାସ ନିର୍ମାଣ କରାଯାଇଥିଲା। ଉକ୍ତ କାର୍ଯ୍ୟ ବାବଦକୁ ଠିକାଦାର ସମ୍ପୂର୍ଣ୍ଣ ଟଙ୍କା ପାଇ ନାହାଁନ୍ତି। ଏନେଇ ଠିକାଦାର ଶ୍ରୀହାବଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଥିଲେ। ଏହାପରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ବର୍ତ୍ତମାନର ପିଏ ଆଇଟିଡିଏ ବସନ୍ତ କୁମାର ସେଠୀଙ୍କୁ କାର୍ଯ୍ୟାଳୟକୁ ଡ଼କାଇ ବିଲ, ଭାଉଚର ଆଦି କାଗଜପତ୍ର ଯାଞ୍ଚ କରାଯିବା ପରେ ସାଢ଼େ ୪ ଲକ୍ଷ ଟଙ୍କା ଜେଇ ଉଠାଇ ନେଇଥିବା ଜଣାପଡ଼ିଥିଲା। ଏସଂକ୍ରାନ୍ତରେ ଜେଇ ଶ୍ରୀ ଦାସ ଠିକାଦାରଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ କାର୍ଯ୍ୟ ବାବଦରେ ସମସ୍ତ ଅର୍ଥ ପାଇସାରିଛନ୍ତି ବୋଲି କହିଛନ୍ତି।