୧୦୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ,ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି। ଗତକାଲି ଫିରିଙ୍ଗିଆ ପୁଲିସ ୧୦୧ କେଜି ୯ ଶହ ଗ୍ରାମ ଗଞ୍ଜେଇ ସହ ଏକ କାର ଓ ବାଇକ୍ ଜବତ କରିଥିଲା। ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଆଜି ପୁଣି ଆଉ ଏକ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ହାତରେ ଧରାପଡ଼ିଛି। ଫିରିଙ୍ଗିଆ ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସୂଚନା ଅନୁଯାୟୀ, ଫିରିଙ୍ଗିଆ ଅଞ୍ଚଳରୁ ଏକ କାରରେ କଟକ ଜିଲ୍ଲା ଆଠଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବାର ସୂଚନା ପାଇ ପୁଲିସ ମାଝିପଡ଼ା ଘାଟିରେ ଚଢ଼ଉ କରିଥିଲା। ଚଢ଼ଉବେଳେ କାରରେ ୨ଟି ବସ୍ତାରେ ୧୦୨ କେଜି ଗଞ୍ଜେଇ ଜବତ କରିଥିଲା। ଏଥିରେ କଟକ ଜିଲ୍ଲା ତିଗିରିଆ ଥାନା ମାନେସ୍ୱପଡାର ପ୍ରତାପ ନାୟକ (୩୦)ଙ୍କୁ ଗିରଫ କରିଛି। ଏନେଇ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଥାନାଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି।