ମାଲକାନଗିରି,ଏନ୍ଏନ୍ଏସ୍: ଆଜି ଜିଲ୍ଲାରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମାଲକାନଗିରି ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଆକ୍ରାନ୍ତ ମାଲକାନଗିରି ପୌର ପରିଷଦ ଅଞ୍ଚଳର, ଜଣେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-୧୫ ଗ୍ରାମର, ୪ ଜଣ ବାଲିମେଳା ଏନଏସିର, ୨ ଜଣ ଆକ୍ରାନ୍ତ କାଲିମେଳା ବ୍ଲକ ଏବଂ ଅନ୍ୟ ଜଣେ ଖଇରିପୁଟ ବ୍ଲକର ବୋଲି ଜଣାପଡିଛି।
ମାଲକାନଗିରି ପୌର ପରିଷଦର ୬ ଆକ୍ରାନ୍ତ ପ୍ରଶାସନ ପକ୍ଷରୁ ନିରୀକ୍ଷଣ ବେଳେ ନଜରକୁ ଆସିଥିବା ବେଳେ ଜଣେ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ସେହିଭଳି ଅନ୍ୟ ୩ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି। ଏମଭି-୧୫ ଗ୍ରାମର ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ବାଲିମେଳା ଏନଏସିରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନଥିବା ଜଣାପଡିଛି। ଖଇରପୁଟ ବ୍ଲକର ଆକ୍ରାନ୍ତ ଜଣଙ୍କ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। କାଲିମେଳା ବ୍ଲକର ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ହୋଇଥିବା ବେଳେ ଅନ୍ୟଜଣେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ନଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ବାଲିମେଳା ନଗର ଅଞ୍ଚଳରୁ ଆଜି ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ନଗରର ୬ନଂ ୱାର୍ଡ ଏବଂ ୨ନଂ ୱାର୍ଡର ୧୦୦ ମିଟର ପରିଧିକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ବର୍ତ୍ତମାନ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୪କୁ ଛୁଇଁଛି। ସେଥିମଧ୍ୟରୁ ୭୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୬୩ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ ଯୋଗେ ସୂଚନା ଦେଇଛି।