ଫୁଲବାଣୀ,ଏନ୍ଏନ୍ଏସ୍: କୋଭିଡ-୧୯ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଆଜି ପୁଣି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁସାରେ, ରାଜ୍ୟ ବାହାରୁ କେହି ଜିଲ୍ଲାକୁ ଆସିଲେ ୨୧ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି। ସେହିପରି ରାଜ୍ୟ ଭିତରୁ ଯେକୌଣସି ହଟସ୍ପଟ ଜିଲ୍ଲାରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୁଳକ। ଗ୍ରାମାଞ୍ଚଳରେ ଆନୁଷ୍ଠାନିକ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହୋଇଥିବା ବେଳେ ସହରାଞ୍ଚଳରେ ଜିଲ୍ଲା ପ୍ରଶାସନର ପୂର୍ବ ଅନୁମତି ନେଇ ହୋମ କ୍ୱାରେଣ୍ଟାଇନରେ ରହିପାରିବେ।
ସେହିପରି ବିବାହ ଓ ଅନ୍ତେଷ୍ଟିକ୍ରିୟା ପାଇଁ ମଧ୍ୟ ନିୟମକୁ କଡାକଡି କରାଯାଇଛି। ବିବାହ ଓ ଅନ୍ତେଷ୍ଟିକ୍ରିୟା ପାଇଁ ସ୍ଥାନୀୟ ଥାନାରୁ ଅନୁମତି ନେବାକୁ ପଡିବ। ବିବାହ ଉତ୍ସବରେ କୌଣସି ପ୍ରକାର ପ୍ରୋସେସନ ହୋଇ ପାରିବ ନାହିଁ, ବର, କନ୍ୟା, ପରିବାର ସଦସ୍ୟ, ଅତିଥି, ବ୍ରାହ୍ମଣ, ରୋଷେଇୟା ଆଦିଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଥିବାବେଳେ ୨ ମିଟର ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ସେହପରି ଅନ୍ତେଷ୍ଟିକ୍ରିୟା ବେଳେ ସର୍ବାଧିକ ୨୦ ଜଣ ବ୍ୟକ୍ତି ଯୋଗ ଦେଇପାରିବେ। ଏହିସବୁ ନିୟମକୁ ଅବମାନନା କଲେ ବିବାହ, ଅନ୍ତେଷ୍ଟିକ୍ରିୟା ଆଦି ହେଉଥିବା ସ୍ଥାନର ମାଲିକ, ମ୍ୟାନେଜର ଓ ସେହି କାର୍ଯ୍ୟରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି।