ବଳମ-ଟୁସୁଳା ରାସ୍ତା ନିର୍ମାଣ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବିପତ୍ର

ଦେବଗଡ଼,ଏନ୍ଏନ୍ଏସ୍: ବଳମ-ଟୁସୁଳା ରାସ୍ତା ନିର୍ମାଣ ଦାବିରେ ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୧୫ଦିନ ମଧ୍ୟରେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ କରାନଗଲେ ଦଳପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜି ପୂର୍ବାହ୍ନରେ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ, ମହିଳା କଂଗ୍ରେସ ନେତ୍ରୀ ମୁଲତା ନାୟକ,ଏସଟିସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ଏସସି ସେଲ ସଭାପତି ମୁଲ କୁମାର ନାଏକ, ସଂଖ୍ୟାଲଘୁ ସେଲ ସଭାପତି ମୋଇନ ଖାଁ, ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା, ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ସାମଲ, କ୍ଷୀତିଶ କୁମାର ପ୍ରଧାନ ଓ ମିଡିଆ ସେଲ୍ ସଂଯୋଜକ ପଞ୍ଚୁଲାଲ ବରାଇଙ୍କ ସମେତ ବହୁ କର୍ମୀ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଉକ୍ତ ଦାବିପତ୍ରରେ ବଳମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥଠାରୁ ଟୁସୁଳା ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ଉଲ୍ଲେଖ କରାଯାଇଛି।

 

ସେହିପରି ଗତ ୨୦୧୯ ମସିହାରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ଏ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରିବା ଏବଂ ପୁଣିଥରେ ଉକ୍ତ ରାସ୍ତା ନିର୍ମାଣ ବଦଳରେ ୩୮ ଲକ୍ଷ ଟଙ୍କାରେ ମରାମତି କରାଯିବା ପାଇଁ ବିଭାଗ ପ୍ରସ୍ତୁତ ହେଉଥିବାରୁ ଦେବଗଡ଼ ଜିଲ୍ଲା କଂଗ୍ରେସ ଏହାକୁ ବିରୋଧ କରାଯାଇଛି। ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ନାରାୟଣ ପଟେଲ ଦାବିପତ୍ର ସମ୍ପର୍କରେ ବିଭାଗୀୟ ଉଚ୍ଚପଦାଧିକାରୀଙ୍କୁ ସୂଚିତ କରି ଯଥାଶୀଘ୍ର ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି।