ଝାରସୁଗୁଡ଼ାରେ ଆରମ୍ଭ ହେଲା ସ୍ୱାବ ନମୁନା ପରୀକ୍ଷଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାରସ୍ଥିତ କୋଭିଡ ହସ୍ପିଟାଲ ପରିସରରେ ସ୍ୱାବ ନମୁନା ପରୀକ୍ଷଣ ଆରମ୍ଭ ହୋଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ମିଳିତ ଉଦ୍ୟମରେ ସୋମବାର ପ୍ରଥମ କରି ଜିଲ୍ଲାରେ ଆରଟିପିସିଆର ଯନ୍ତ୍ର ସାହାଯ୍ୟରେ ସ୍ୱାବ ନମୁନା ପରୀକ୍ଷଣ କରାଯାଇଥିଲା। ପ୍ରଥମଦିନରେ ଦୁଇ ଜଣଙ୍କ ସ୍ୱାବ ନମୁନା ପରୀକ୍ଷଣ କରାଯାଇଥିବାବେଳେ ୮ଘଣ୍ଟାରେ ୬୪ ସ୍ୱାବ ପରୀକ୍ଷଣ କରାଯାଇ ପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକ କହିଛନ୍ତି। ତେବେ ଆରମ୍ଭରେ ଅଳ୍ପ ନମୁନା ପରୀକ୍ଷଣ କରାଗଲେ ମଧ୍ୟ ଆବଶ୍ୟକସ୍ଥଳେ ୨ଟି ସିଫ୍ଟରେ କାର୍ଯ୍ୟକରି ଦୈନିକ ୧୨୮ ନମୁନା ପରୀକ୍ଷଣ କରାଯାଇପାରିବ ବୋଲି ଶ୍ରୀ ବାରିକ କହିଛନ୍ତି।

ସୂଚନାଯୋଗ୍ୟ,ସୋମବାର ୨ଜଣଙ୍କ ସ୍ୱାବ ପରୀକ୍ଷଣ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ ଯେ, ଜିଲ୍ଲାରୁ ପ୍ରତିଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରକୁ ସ୍ୱାବ ନମୁନା ପରୀକ୍ଷଣ ପାଇଁ ପଠାଯାଉଥିଲା। ଫଳରେ ରିପୋର୍ଟ ଆସିବାରେ ସାମାନ୍ୟ ବିଳମ୍ବ ହେଉଥିଲା। ଆଉ ଏବେ ଜିଲ୍ଲାରେ ସ୍ୱାବ ପରୀକ୍ଷଣ ଆରମ୍ଭ ହୋଇଥିବାରୁ ରିପୋର୍ଟ ତୁରନ୍ତ ମିଳିପାରିବ।