ଅନଲାଇନ କ୍ଲାସ ନେଉଥିବା ବିଦେଶୀ ଛାତ୍ରଙ୍କୁ ଛାଡ଼ିବାକୁ ପଡ଼ିବ ଆମେରିକା: ୨ଲକ୍ଷ ଭାରତୀୟ ଛାତ୍ର ସାମିଲ

ନୂଆଦିଲ୍ଲୀ: ଟ୍ରମ୍ପ ସରକାର ଆମେରିକାରେ ରହୁଥିବା ବିଦେଶୀ ଛାତ୍ରଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଯେଉଁ ସ୍କୁଲ ଓ କଲେଜରେ ଅନଲାଇନ ପାଠ ପଢ଼ାଯାଉଛି ସେଠାକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆମେରିିକା ଛାଡ଼ିବାକୁ ପଡ଼ିବ କିମ୍ବା ଅଲଗା ଶିକ୍ଷାସଂସ୍ଥାକୁ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ଉଲ୍ଲେଖ କରାଯାଇଛି। ଟ୍ରମ୍ପ ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ୧୦ଲକ୍ଷ ବିଦେଶୀ ଛାତ୍ରଙ୍କ ଉପରେ ପ୍ରଭାବ ପଡ଼ିବ ଯେଉଁଥିରେ ୨ଲକ୍ଷରୁ ଅଧିକ ଭାରତୀୟ ଛାତ୍ର ମଧ୍ୟ ସାମିଲ ଅଛନ୍ତି।

ନିୟମ ମୁତାବକ, ଛାତ୍ରୀଛାତ୍ରୀଙ୍କୁ କିଛି କ୍ଲାସ ଶ୍ରେଣୀଗୃହରେ ହିଁ ନେବାକୁ ପଡ଼ିବ। ଯେଉଁଠି ସମସ୍ତ ପାଠପଢ଼ା ଅନଲାଇନରେ ହେଉଛି ସେଠାକାର ସ୍କୁଲ କିମ୍ବା ପାଠ୍ୟକ୍ରମ ପାଇଁ ନୂଆ ଭିସା ଜାରି କରାଯିବ ନାହିଁ। କେବଳ ଏତିକି ନୁହେଁ, ଯେଉଁ କଲେଜରେ ଏହି ଶରତ କାଳରେ ଉଭୟ ଶ୍ରେଣୀଗୃହ ଓ ଅନଲାଇନରେ ପାଠ ପଢ଼ାଯାଉଛି ସେଠାରେ ବିଦେଶୀ ଛାତ୍ରଙ୍କୁ ଅନଲାଇନ କ୍ଲାସରେ ଭାଗ ନେବାକୁ ଦିଆଯିବ ନାହିଁ। କରୋନା କାଳରେ ସରକାରଙ୍କ ଏପରି ନିୟମ ଯୋଗୁଁ ବିଦେଶୀ ଛାତ୍ରଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଆମେରିକାରେ ସ୍କୁଲ ଓ କଲେଜ ଯଥାଶୀଘ୍ର ଖୋଲିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ। ଟ୍ରମ୍ପ ଟ୍ୱିଟ କରି କହିଥିଲେ କି, ଶରତ ଋତୁରେ ସ୍କୁଲ ନିଶ୍ଚିତ ଖୋଲିଯିବା ଦରକାର। ଏଥିସହ ଡେମୋକ୍ରେଟିକ ପାର୍ଟି ସ୍ୱାସ୍ଥ୍ୟଗତ ନୁହେଁ ବରଂ ରାଜନୈତିକ କାରଣରୁ ସ୍କୁଲ ବନ୍ଦ ରଖିବାକୁ ଚାହୁଁଥିବା ଟ୍ରମ୍ପ ଆରୋପ ଲଗାଇଥିଲେ।