ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ବଲିପାଟପୁର ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଛି। ଛାତ ଉପରେ ଖେଳୁଥିବା ସମୟରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ଘରର ଛାତ ଉପରେ ବିଦ୍ୟୁତ ତାର ଝୁଲାନ୍ତ ଅବସ୍ଥାରେ ଥିଲା। ଏନେଇ ପରିବାର ଲୋକେ ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏଥିପ୍ରତି କର୍ଣ୍ଣପାତ କରିନଥିଲା। ତେବେ ଆଜି ଶିଶୁଟି ଛାତ ଉପରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ ତଳକୁ ପଡ଼ି ଯାଇଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ନିକଟସ୍ଥ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉକ୍ତ ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଆଜି ଶିଶୁ କନ୍ୟାର ଜୀବନ ଚାଲିଯାଇଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ଶିଶୁ କନ୍ୟାର ମୃତ୍ୟୁରେ ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।