ଅପହଞ୍ଚ ଇଲାକାରେ ବାଧା ଦେଉଛି ଅନଲାଇନ ପାଠ ପଢ଼ା

ଚନ୍ଦ୍ରପୁର,ଏନ୍ଏନ୍ଏସ୍: ସାରା ଦେଶକୁ କରୋନା ପାଇଁ ଲକଡାଉନ କରାଯାଇଥିବା ବେଳେ ସ୍କୁଲ କଲେଜ ଛୁଟି ହୋଇଯାଇଛି। ଏହାଦ୍ୱାରା ପିଲାମାନଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଥିବାରୁ ସରକାର ଅନଲାଇନ ପାଠ ପଢ଼ାର ଆରମ୍ଭ କରିଛନ୍ତି। କିନ୍ତୁ ଏଥିରୁ ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଦୁର୍ଗମ ପାହାଡିଆ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ସହ ମୋବାଇଲ ନେଟୱର୍କର ସମସ୍ୟା ଥିବାରୁ ଅନଲାଇନ ପାଠ ପଢାରେ ବାଧା ସୃଷ୍ଟି ହୋଉଛି।

ଏଭଳି ସମସ୍ୟା ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ୮ଟି ପଞ୍ଚାୟତରେ ଦେଖିବାକୁ ମିଳିଛି। ପାହାଡ଼ ପର୍ବତରେ ଅବସ୍ଥାପିତ ସାରକିମା, ବିଜାପୁରୁ, ବୁଡୁବାଲି, ପିସ୍କାପଙ୍ଗା ପଞ୍ଚାୟତକୁ ଯାତାୟାତ ପାଇଁ ରାସ୍ତା ନଥିବା ବେଳେ ଜଙ୍ଗଲ ପାହାଡ଼ ଦେଇ ଗାଁକୁ ଯିବାକୁ ପଡିଥାଏ। ଏଥିସହ ଏହି ପଞ୍ଚାୟତରେ ମୋବାଇଲ ଟାୱାର ମଧ୍ୟ ନାହିିଁ। ସେହିପରି ଚନ୍ଦ୍ରପୁର, ଡାଙ୍ଗସୋରଡା, ହନୁମନ୍ତପୁର ଓ ଟୁରିଗୁଡା ଅଞ୍ଚଳରେ ମୋବାଇଲ ନେଟୱର୍କର ସୁବିଧା ଥିଲେ ମଧ୍ୟ ନେଟ କାମ କରୁନଥିବା ସହ ବିଦ୍ୟୁତ ବାଧା ପ୍ରାପ୍ତ ହୋଉଛି।

କେଉଁଠି ବିଦ୍ୟୁତ ନାହିଁ ତ କାହାପାଖରେ ୪ଜି ମୋବାଇଲ ନାହିଁ। ଅଧିକାଂଶ ସ୍ଥାନରେ ଗରିବ ଘରର ପିଲାମାନେ ଭଲ ପାଠ ପଢୁଥିଲେ ମଧ୍ୟ ସେମାନଙ୍କ ପାଖରେ ସ୍ମାର୍ଟ ଫୋନ ନାହିିଁ। ପ୍ରାୟତଃ ସବୁ ବିଦ୍ୟାଳୟମାନଙ୍କରେ ଅନଲାଇନ ପାଠପଢା ଆରମ୍ଭ ହୋଇଛି। ମାତ୍ର ଅନେକ ପିଲା ଏହି ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ ହେଉଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଗ୍ରହ କମିଯାଉଛି। ଲକଡାଉନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନଲାଇନ ଦ୍ୱାରା ପାଠ ପଢା ଚାଲୁ ରହିବ ଏ ନେଇ ବିଭାଗ ପକ୍ଷରୁ ଦିଆଯାଇଛି ମାର୍ଗ ଦର୍ଶିକା। ଶିକ୍ଷାର୍ଥୀ ଘରେ ବସି ଅନଲାଇନ ହ୍ଵାଟସଆପ ଜରିଆରେ ପାଠ ପଢିବା ପାଇଁ ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି, ହେଲେ ଶିକ୍ଷା ସଂଯୋଗରେ କେତେ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ ତାହା ଆଗାମୀ ଦିନରେ ଜଣାପଡିବ।