ସୋମବାର ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଭାଗ୍ୟ ପରୀକ୍ଷା

କାଠମାଣ୍ଡୁ,ଏଜେନ୍ସି : ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ଦାବି ସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ସୋମବାରକୁ ଘୁଞ୍ଚିଛି। ଶନିବାର କ୍ଷମତାସୀନ ପାର୍ଟି ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବୈଠକକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ପୁଷ୍ପକମଲ ଦହଲ ପ୍ରଚଣ୍ଡ ଓ ଓଲିଙ୍କ ମଧ୍ୟରେ ପୁଣିଥରେ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ଅଛି। ସୋମବାର ବୈଠକରେ ଓଲିଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ।

ଦଳକୁ ଏକଜୁଟ କରି ରଖିବା ପାଇଁ ବରିଷ୍ଠ ସଭ୍ୟମାନେ ଉଭୟ ନେତାଙ୍କ ଉପରେ ଚାପ ପକାଉଛନ୍ତି। ଦୁଇନେତାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଦଳ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ। ଇତିମଧ୍ୟରେ ଓଲି ଦଳର ଅଭିଜ୍ଞ ନେତାଙ୍କ ଘରେ ପହଞ୍ଚି ଦଳର ସଙ୍କଟ ଏଡ଼ାଇବାକୁ ଅନୁରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ପଦବୀ ଛାଡ଼ିବା ପାଇଁ ଓଲି ରାଜି ନୁହନ୍ତି। ବୁଧବାର ପ୍ରଚଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟି ବୈଠକରେ ୪୪ ସଭ୍ୟଙ୍କ ମଧ୍ୟରୁ ୩୩ ଜଣ ଓଲିଙ୍କ ଇସ୍ତଫା ଦାବି କରିଥିଲେ। ଗୁରୁବାର ଓଲିଙ୍କ ଇସ୍ତଫା ଉପରେ ସହମତି ଅଭାବରୁ ବୈଠକକୁ ସ୍ଥଗିତ କରାଯାଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଦଳର ଷ୍ଟାଣ୍ଡିଂ କମିଟି ବୈଠକ ଦୀର୍ଘ ୭ ଦିନ ଧରି ଚାଲିଥିଲେ ମଧ୍ୟ ଓଲି ମାତ୍ର ଦୁଇଦିନ ଯୋଗ ଦେଇଥିଲେ। ତେଣୁ ଦଳର ବହୁ ଅଭିଜ୍ଞ ନେତାଙ୍କ ମନରେ ଉଠିଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଏବେବି ଓଲିଙ୍କଠାରୁ ମିଳିନାହିଁ। ଶୁଣିବାକୁ ମିଳୁଛି ଯେ ଓଲି ଆଉ ଗୋଟିଏ ନୂଆ ଦଳ ଗଢ଼ିବା ଚକ୍କରରେ ଅଛନ୍ତି। ସେ ନେପାଳ କମ୍ୟୁନିଷ୍ଟ ପାର୍ଟି-ୟୁଏମ୍ଏଲ୍ ନାମରେ ଦଳଟିଏ ରେଜିଷ୍ଟ୍ରେସନ୍ କରିଛନ୍ତି। ଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲା ବେଳେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଚୀନ ରାଷ୍ଟ୍ରଦୂତ ହୋଉ ୟାନ୍କୀଙ୍କୁ ନୈଶଭୋଜିକୁ ଆମନ୍ତ୍ରଣ କରିଛନ୍ତି। ଗତ କିଛିବର୍ଷ ଧରି ୟାନ୍କୀ ନେପାଳ ରାଜନୀତିର ସଙ୍କଟମୋଚକ ଭାବେ ଉଭା ହୋଇଛନ୍ତି।