ସ୍ୱୟଂ ସହାୟକ ଗୋଷ୍ଠୀ ନିକଟରୁ ଋଣ ଆଦାୟ ବନ୍ଦ କରିବାକୁ ଦାବୀ

ଝାରସୁଗଡ଼ା, ଏନ୍ଏନ୍ଏସ୍: ବର୍ତ୍ତମାନ ଋଣ ଆଦାୟ ଉପରେ ସରକାର ରୋକ ଲଗାଇଥିଲେ ହେଁ ଝାରସୁଗୁଡ଼ା ଜିଲ୍ଲାରେ କିଛି ମାଇକ୍ରୋଫାଇନାନ୍ସ କମ୍ପାନୀ ତଥା ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକ ଟଙ୍କା ଆଦାୟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତିି। ଏହି ସଂସ୍ଥାର ଏଜେଣ୍ଟମାନେ ମହିଳା ସ୍ୱୟଂ ସହାୟକଗୋଷ୍ଠୀ ନିକଟକୁ ଆସି ସେମାନେ ଉଠାଣ କରିଥିବା ଟଙ୍କା ପୈଠ କରିବା ପାଇଁ ବାଧ୍ୟ କରୁଛନ୍ତି। ଏହାସହ ଲକଡାଉନ ସମୟରେ ପରିଶୋଧ କରି ନଥିବା ଟଙ୍କାର ଅଧିକ ସୁଧ ଦେବାକୁ ପଡ଼ିବ ବୋଲି କହୁଛନ୍ତି। ବିଭିନ୍ନ ବ୍ୟବସାୟ କରିବା ପାଇଁ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଟଙ୍କା ଉଠାଣ କରିଥିବାବେଳେ ୩ମାସ ହେଲାଣି ସମସ୍ତ କାମଧନ୍ଦା ବନ୍ଦ ରହିଛି। ଫଳରେ ଏହି ସ୍ୱଂୟ ସହାୟକ ଗୋଷ୍ଠୀଗୁଡ଼ିକ ଏବେ ଟଙ୍କା ପରିଶୋଧ କରିବା ପାଇଁ ଅସମର୍ଥ। ତେଣୁ ସରକାରଙ୍କ ନିୟମ ଅନୁଯାୟୀ ଜିଲ୍ଲାର ସମସ୍ତ ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକୁ ଅର୍ଥ ଆଦାୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କୁଲେମୁରା ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି।